ପୁରୀ (ଏଟିଆର ବ୍ୟୁରୋ): ଭାବ ବିନୋଦିଆ କାଳିଆ ଠାକୁରର ବାର ମାସରେ ତେର ପର୍ବ । କେତେବେଳେ ଭକ୍ତର ଭାବରେ ବାନ୍ଧି ହୋଇ ସେ ରଥକୁ ଓହ୍ଲେଇ ଆସେ ତ ପୁଣି କେତେବେଳ ଭକ୍ତର ହାତରୁ ବି ନଡିଆ ନେଇ ଯାଏ । ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କୋଳି ବିକା ନୀତି ଅନୁଷ୍ଠିତ ହୋଇ ଯାଇଛି । ମଧ୍ୟାହ୍ନ ଧୂପ ପୂର୍ବରୁ ବଡଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଦୁଇଟି ବିଶାଳ ମାଳ ଅର୍ପଣ କରାଯାଇଛି । ପୁଣି ମଧ୍ୟାହ୍ନ ଧୂପ ସରିବା ପରେ ଏହି ମାଳକୁ ପ୍ରଭୁ ଶୀରାମ ଏବଂ ଶ୍ରୀକୃଷ୍ଣଙ୍କ ପାଇଁ ଅଗ୍ନି ମାଳ ରୂପେ ଦକ୍ଷୀଣ ଗୃହକୁ ନିଆଯାଇଛି । ଅଗ୍ନି ମାଳ ପ୍ରାପ୍ତ କରିବା ପରେ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କୁ ବାହାରଣ ଦ୍ୱାରକୁ ନିଆଯିବାର ନୀତି ରହିଛି । ସେଠାରୁ ତାଙ୍କୁ ପାଲିଙ୍କିରେ ବସାଇ ବଡଛତା ମଠ ନିଆଯାଏ ଏବଂ ସେଠି ତାଙ୍କୁ କାଠ ଖଟୁଲିରେ ବସାଯାଏ ।
ସେଠାରେ ତାଙ୍କର କୋଳି ବିକା ଲୀଳା ହୋଇଥାଏ । ଏହି ଲୀଳା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ପିଲାଦିନର ପ୍ରସିଦ୍ଧ ଲୀଳା । ଏଥିରେ ଆଦିବାସୀ ମହିଳାଙ୍କଠାରୁ ଏକ ଭୋଗେଇ ଭରପୁର ହୋଇଥିବା ଫଳ କିଣା ଯାଇଥାଏ । ଏହି ପରମ୍ପରା ଅନୁସାରେ ମନ୍ଦିରରେ ଜଣେ ସେବକ ସବରୁଣୀ ରୂପ ଧାରଣ କରି ଭୋଗେଇରେ ଗୁଆ , ଜାମୁକୋଳି ଏବଂ ନଡିଆ ଧରି କହିଥାଏ ‘ପାଣିର ଫଳ ସିଙ୍ଗଡାର କୋଳି ଖାଇବ ଆସ ଏ ପୁଅ’ ।
ଏହାପରେ ସବରୁଣୀ ଠାରୁ ବିଚିତ୍ର ମହାପାତ୍ର କୋଳି କିଣି ତାକୁ ଏକ ରୂପା ପାତ୍ରରେ ରଖନ୍ତି । ତାପରେ ସେହି କୋଳିକୁ ରାମ ଏବଂ କୃଷ୍ଣଙ୍କୁ ଅର୍ପିତ କରାଯାଏ । ପଣ୍ଡା ଶୀତଳ ଭୋଗ ପ୍ରଦାନ କରିବା ପରେ ବିଚିତ୍ର ମହାପାତ୍ର ବନ୍ଦନା କରିଥାନ୍ତି । ଏହାପରେ ରାମ ଏବଂ କୃଷ୍ଣ ମନ୍ଦିରକୁ ଫେରିଥାନ୍ତି ।
ସୂଚନା ଯୋଗ୍ୟ ,ପବିତ୍ର ଜନ୍ମାଷ୍ଟମୀ ପରେ ପୁରୀ ଶ୍ରୀମନ୍ଦରରେ ଏହି କୋଳି ବିକା ଲୀଳା ଅନୁଷ୍ଟିତ ହୋଇଥାଏ ।