ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ଅନୁଯାୟୀ ଆଜିଠୁ ଶୁଭ କାମ କରିବାର ଶୁଭ ମହୁରତ ଆରମ୍ଭ ହୋଇଯାଇଛି । ଏହାସହିତ ଆଜି ଦେବଉଠଣୀ ଏକାଦଶୀ । କାର୍ତ୍ତିକ ମାସ ଶୁକ୍ଲପକ୍ଷର ଏହା ସବୁଠୁ ବଡ ଏକାଦଶୀ । କୁହାଯାଏ କି ଆଷାଢ ମାସର ଦେବଶୟନୀ ଏକାଦଶୀ ପରେ ଭଗବାନ ବିଷ୍ଣୁ ଚାରି ମାସ ପାଇଁ କ୍ଷୀର ସାଗରକୁ ଶୟନ କରିବା ଲାଗି ଯାଇଥାନ୍ତି ଏବଂ ଦେବଉଠଣୀ ଏକାଦଶୀ ଦିନ ଜାଗ୍ରତ ହୋଇଥାନ୍ତି ।
ପୁରାଣ ଅନୁଯାୟୀ ଏହି ଦିନ ଶାଳଗ୍ରାମ ସହ ତଳୁସୀ ବିବାହର ମାନ୍ୟତା ରହିଛି । ସେଥିପାଇଁ ଆଜିର ଦିନରେ ତୁଳସୀ ସହିତ ଶାଳଗ୍ରାମର ବିବାହ ହୋଇଥାଏ । ଏହାସହିତ ଏହି ଦିନ ବ୍ରତ ରଖିବା ଦ୍ୱାରା ସଫଳତା ପ୍ରାପ୍ତି ମଧ୍ୟ ହୁଏ । ଦେବଶୟନୀ ଏକାଦଶୀ ପରେ ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ, ଏହି ସମୟରେ ଅଧିକ ନକରାତ୍ମକ ପ୍ରଭାବ ରହିଥାଏ ବୋଲି ବିଶ୍ୱାସ ରହିଛି । ଯାହା ଦ୍ୱାରା ଶୁଭ କାର୍ଯ୍ୟ ପ୍ରଭାବିତ ହୋଇଥାଏ । ସେଥିପାଇଁ ଦେବଉଠଣୀ ଏକାଦଶୀ ପରେ ହିଁ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ ।
ଏହିଦିନ ବ୍ରତ ରଖିବାକୁ ହେଲେ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଦୟ ପୂର୍ବରୁ ସଂକଳ୍ପ କରନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । କୁହାଯାଏ ଏହି ଦିନ ନଦୀ କିମ୍ବା କୂଅ ପାଣିରେ ସ୍ନାନ କରିବା ଶୁଭ ହୋଇଥାଏ । ଅନେକ ଲୋକ ଏହି ଦିନ ଜାଗରଣ କରିବା ସହ ଭଜନ କିର୍ତ୍ତନ ଆଜି କରିଥାନ୍ତି । ଏହି ଦିନ ପୂଜାରେ ବେଲ ପତ୍ର,ସମି ପତ୍ର ଏବଂ ତଳସୀ ପତ୍ର ଚଢାଇବାର ମାନ୍ୟତା ରହିଛି ।