ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଏହି ସବୁ ପର୍ବ ମଧ୍ୟରେ ରଜ ପର୍ବ ଅନ୍ୟତମ । ରଜ ହେଉଛି ଓଡିଶାର ଗଣ ପର୍ବ । ଏହି ପର୍ବ ପାଇଁ ଗାଁଠାରୁ ସହର ସବୁଠି ହୋଇଛି ଉତ୍ସବ ମୁଖର । ମୁଖ୍ୟତଃ ଏହି ପର୍ବ ଗାଁରେ ପାଳନ କରିବା ପାଇଁ ଲୋକଙ୍କ ଭିଡ ଜମିଥାଏ । ଲୋକ ଯେତେ ବଡ ହୋଇଗଲେ ବି ରଜରେ ଗାଁକୁ ଯାଇ ଦୋଳି ଖେଳିବାର ମଜା ଅଲଗା । ଯେଉଁ କାରଣରୁ ଗତକାଲି ବସଷ୍ଟାଣ୍ଡ ଏବଂ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ ଲାଗିଥିଲା ।
ରଜ ପର୍ବରେ ପାନ ଖାଇବାର ମଜା ନିଆରା । ପିଲାଠାରୁ ବୁଢ଼ା ସମସ୍ତେ ରଜ ପାନ ଖାଇ ପାଟି ଲାଲ କରି ତାସ ଏବଂ ଲୁଡୁ ଖେଳି ମଜା ନେଇଥାନ୍ତି । ଏହି ପର୍ବରେ ସମସ୍ତଙ୍କ ଘରେ ପୋଡ ପିଠା କରାଯାଇଥାଏ । ବର୍ଷରେ ଯେତେଥର ପୋଡପିଠା ଖାଇଲେ ସୁଦ୍ଧା ରଜରେ ଏହାର ମଜା ଦ୍ୱିଗୁଣିତ ହୋଇଯାଇଥାଏ । ରଜ ପର୍ବରେ ଝିଅମାନେ ସଜେଇ ହୋଇଥାନ୍ତି । ନୂଆ ଡ୍ରେସ ସାଙ୍ଗକୁ ଅଳତା,କୁଙ୍କୁମ ଲଗାଇ ସଜେଇ ହୋଇ ଦୋଳି ଖେଳିବା ପାଇଁ ବାହାରି ଥାଆନ୍ତି ।
ରଜ ପର୍ବ ତିନି ଦିନ ପାଇଁ ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ । ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି । ଏବଂ ଶେଷ ରଜକୁ ଭୂମି ଦାହନ ବୋଲି କୁହାଯାଇଥାଏ । ଏହି ତିନି ଦିନ ଚାଷୀଙ୍କ ପାଇଁ ହଳ ଧରିବା ନିଷେଧ । ରଜ ପରଠାରୁ ବର୍ଷାର ଆଗମନ ହୋଇଥାଏ । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ରଜ ପରମ୍ପରା ବଞ୍ଚି ରହିଛି ।