ପୁରୀ (ଏଟିଆର ବ୍ୟୁରୋ); ଅଣସର ଘରେ ଚତୁର୍ଦ୍ଧା ମୁରତୀ । ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂପରୁ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡି ଯାଇଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନ ଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତନ ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବାରେ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକମାନେ।
୪ ଦିନ ଧରି ଏକମାତ୍ର ଶୁକ୍ଳବସ୍ତ୍ରରେ ରହିବା ପରେ ଅଣସର ପିଣ୍ଡିରେ ଅଧିଷ୍ଠିତ ମହାପ୍ରଭୁଙ୍କ ଆଜି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ଅର୍ଥାତ ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଆଜି ଫିଟାଯାଇଛି। ବିଳମ୍ୱିତ ରାତ୍ରିରେ ଏହି ନୀତି ସଂପନ୍ନ ହୋଇଛି।
ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ଆଜି ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ନିଆଯିବାର ପରମ୍ପରା ରହିଛି। ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛିମାତ୍ରାରେ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଘସାପେଡ଼ା ରାଶିତେଲରେ ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି।