ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ହେଉଛି ଉକ୍ରଳ ପବିତ୍ର ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଆଜି ହେଉଛି ଗର୍ବ ଏବଂ ଗୌରବର ଦିନ । ୧୯୩୬ ଏପ୍ରିଲ ୧ ତାରିଖ, ଓଡିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ପୁରିଛି ୮୩ ବର୍ଷ । ତେବେ ଭାଷା ଭିତରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଭାରତର ପ୍ରଥମ ରାଜ୍ୟ ହେଉଛି ଓଡିଶା । ତାଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ । ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ । କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ ।
ଓଡିଶାର ବିରପୁତ୍ରମାନଙ୍କ ପାଇଁ ଆଜି ଆମେ ଗର୍ବିତ । ସେମାନଙ୍କ ବଳିଦାନ ପାଇଁ ଆଜି ଓଡିଶା ସ୍ୱତନ୍ତ୍ର ପରିଚୟ ପାଇ ପାରିଛି । ତେବେ ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି , ବ୍ୟାସକବି ଫକୀରମୋହନ, ସ୍ୱଭାବକବି ଗଙ୍ଗାଧର,କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ପଣ୍ଡିତ ନୀଳକଣ୍ଠ, ହରିହର ମର୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବ ପ୍ରମୁଖ ଅଗ୍ରପୂଜ୍ୟ ।
ଉତ୍କଳ ଦିବସକୁ ନେଇ ରାଜଧାନୀ ଯେମିତି ଏକ ନୂଆ ରୂପରେ ସଜେଇ ହୋଇଛି। ସବୁଠି ରଙ୍ଗୀନ ଆଲୋକମାଳା ଓ ଉତ୍ସାହର ମାହୋଲ। ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କାର୍ୟ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍କଳ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଏହାକୁ ପାଳନ କରାଯାଇଥାଏ।