ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲି ଭଗବାନ ଶିବଙ୍କର ବଡ ପର୍ବ । ଏହାକୁ ମହା ଶିବରାତ୍ରି ବୋଲି କୁହାଯାଇଥାଏ । ଏନେଇ ପୁରୀ ଲୋକନାଥ ଏବଂ ଏକାମ୍ର କ୍ଷେତ୍ର ସମେତ ଅନ୍ୟାନ୍ୟ ସମସ୍ତ ଶୈବପୀଠର ପ୍ରସ୍ତୁତି ପ୍ରଣାଳୀ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଚଳିତ ଜାଗର ଯାତ୍ରା ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ ସେନେଇ ଶୈବପୀଠ ମାନଙ୍କରେ ବ୍ୟାପକ ବ୍ୟବସ୍ତାମାନ ମଧ୍ୟ କରାଯାଇଛି । ଏହାସହିତ ଚଳିତ ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ରାତି ୩ଟାରେ ମନ୍ଦିର ଦ୍ୱାର ଫିଟା ଯିବ । ସେହିପରି ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।
ଅପରପକ୍ଷେ ଗତକାଲି ଥିଲା ପଙ୍କୋଦ୍ଧାର ଏକାଦଶୀ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ଠାରେ ଏହି ଏକାଦଶୀ ପର୍ବ ପାଳନ କରାଯାଇଥିଲା । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଏହି ପଙ୍କୋଦ୍ଧାର କାର୍ଯ୍ୟ କରାଯାଇଥାଏ । ବର୍ଷ ତମାମ ବାବା ଲୋକନାଥ ପାଣିରେ ଭିତରେ ବୁଡିକି ରହିଥାନ୍ତି । ମହାଶିବରାତ୍ରି ଅବସରରେ ଏକାଦଶୀ ତିଥିରେ ବାବା ଲୋକନାଥଙ୍କ ଗର୍ଭଗୃହରୁ ପଙ୍କୋଦ୍ଧାର କରାଯାଇଥାଏ ।