ପୁରୀ (ଏଟିଆର ବ୍ୟୁରୋ): ସ୍ନାନପୂର୍ଣ୍ଣିମାରେ ମହାସ୍ନାନ ସାରି ଅଣସରପିଣ୍ଡିରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ସେବା । ମଣିମାଙ୍କୁ ସୁସ୍ଥ କରିବାରେ ଲାଗି ପଡିଛନ୍ତି ସେବାୟତ । ଆଜି ଅଣସରର ପଞ୍ଚମ ଦିନରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ସୁସ୍ଥ ହେବେ ମହାପ୍ରଭୁ । ଏହି ଫୁଲୁରୀ ତେଲ ପୁରୀର ବଡ ଓଡିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇ ଯୋଗାଇ ଦିଆଯିବାର ପରମ୍ପରା ରହିଛି ।
କର୍ପୁର , ଚୁଆ, ପିଙ୍ଗଳ, ପରଖ, ପୁଷ୍ପ ଓ ଘଣାପେଡା ରାଶି ତେଲକୁ ବର୍ଷେ ପୂର୍ବ ମାଟି ତଳେ ପୋତି ଦିଆଯାଇଥାଏ । ବର୍ଷେ ପରେ ଏଥିରୁ ପ୍ରସ୍ତୁତ ହୁଏ ଫୁଲୁରୀ ତେଲ । ସେହିପରି ଆଜି ଏହାକୁ ମାଟି ତଳୁ ବାହାର କରାଯିବ ଏବଂ ତାକୁ ଶ୍ରୀଜିଉଙ୍କ ନିମନ୍ତେ ଶ୍ରୀମନ୍ଦିର ପଠାଯିବ । ଏହାପରେ ଦଇତାପତି ସେବକମାନେ ଏହି ତେଲକୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ । ଏହି ନୀତି ଶେଷ ହେବା ପରେ ଧୀରେ ଧୀରେ ସୁସ୍ଥ ହେବେ ମଣିମା ।