ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଣିଷ ଜୀବନରେ ଶୁଭ ଅଶୁଭର ବିଶେଷ ମହତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଶୁଭ ସମୟ ଏବଂ ଅଶୁଭ ବାର ଦେଖାଯାଇଥାଏ । ଏହି ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ୍ ଏବଂ ଉଚିତ୍ ନୁହେଁ ।
ରବିବାର ସୂର୍ଯ୍ୟଙ୍କ ପ୍ରଭାବ ଅଧିକ ଥାଏ । କୁହାଯାଏ ଯଦି ରୋଗ ପାଇଁ ନୂତନ ଔଷଧୀ ଆରମ୍ଭ କରିବାର ଅଛି ତେବେ ଆପଣ ଆରମ୍ଭ କରିପାରିବେ । ଏହି ଦିନ ନୂତନ ବାହନ କିଣିପାରିବେ । ଏହାସହିତ ରବିବାର ଦିନ ତମ୍ବା କିଣି ପାରିବେ କିମ୍ବା ଧାରଣ କରିପାରିବେ, ବିଦ୍ୟୁତ୍ ଜିନିଷ ବି କିଣି ପାରିବେ ।
ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ସେହିପରି ବସ୍ତ୍ର ଆଭୂଷଣର କିଣା-ବିକା ଏହି ଦିନ କରିପାରିବେ ।
ମଙ୍ଗଳବାର ଦିନ ଋଣ ସୁଝିବା କଷ୍ଟକର ହୋଇପଡେ । ସେଥିପାଇଁ ଯଦି ଆପଣ କାହାରିକୁ ଋଣ ଦେବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଦିଅନ୍ତୁ । ଏହି ଦିନ ଦିଆଯାଇଥିବା ଋଣ ବହୁତ ଶୀଘ୍ର ମିଳି ଯାଇଥାଏ । ବୁଧବାର ଦିନ ବିଦ୍ୟା ଅଧ୍ୟୟନ, ବହି-ଖାତା, ନିର୍ମାଣ କାର୍ଯ୍ୟ ଶୁଭ ହୋଇଥାଏ । ଏହି ଦିନ ଯାତ୍ରା କରିବା ଶୁଭ ହୋଇଥାଏ ।
ଗୁରୁବାର ଦିନକୁ ଅଧିକ ଶୁଭ ବୋଲି କୁହାଯାଇଥାଏ । ଏହି ଦିନ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟ ଆଦି କରି ପାରିବେ ।
ଶୁକ୍ରବାର ଦିନ ପ୍ରେମ ଏବଂ ମିତ୍ରତା କରିବା ଶୁଭ ହୋଇଥାଏ । ସେହିପରି ଶନିବାର ଦିନ ଶନିଙ୍କ ପ୍ରଭାବ ଅଧିକ ହୋଇଥାଏ । ଏହି ଦିନ ଗୃହପ୍ରବେଶ କିମ୍ବା ନିର୍ମାଣ କରିବା ଉଚିତ୍ ନୁହେଁ । ଶନିବାର ଦିନ ତେଲ , କାଠି, କୋଇଲା, ଲୁଣ, ଲୁହା ଆଦି କିଣିବା କଥା ନୁହେଁ ।