ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ଯଦି ଆପଣ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଚିନ୍ତା କରନ୍ତୁନି । କାରଣ ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ ନବରାତ୍ରୀ ସ୍ପେଶାଲ ଟୁର୍ ପ୍ୟାକେଜ୍ ଘୋଷଣା କରାଯାଇଛି ।
ନବରାତ୍ରୀ ସମୟରେ ପ୍ରତ୍ୟେକ ବର୍ଷ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯୋଜନା କରିଥାନ୍ତି ଭକ୍ତ । ଯାହାଦ୍ୱାରା ପ୍ରବଳ ଭିଡ ହୋଇଥାଏ । ସହଜରେ ଟିକେଟ ବି ମିଳେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଇଆରସିଟିସି ପକ୍ଷରୁ ନବରାତ୍ରୀରେ ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଟୁର୍ ପ୍ୟାକେଜ୍ ଲଞ୍ଚ କରିବାର ନିଷ୍ପତି ନିଆଯାଇଛି ।
ଆଇଆରସିଟିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଟ୍ରେନ୍ ସେପ୍ଟମ୍ବର ୩୦ ରେ ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ଛାଡିବ । ଏହି ପ୍ୟାକେଜର ଅବଧି ୪ ଦିନ ଏବଂ ୫ ରାତି ରହିଛି ।
ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ଦ୍ୱାରା ନିରାମିଶ ଭୋଜନର ବ୍ୟବସ୍ଥା କରାଯାଇଛି । ଏହାସହିତ ଯାତ୍ରୀମାନଙ୍କ ରହିବାର ସୁବିଧା ମଧ୍ୟ ଆଇଆରସିଟିସି ପକ୍ଷରୁ କରାଯିବ । ଏନେଇ ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆଇଆରସିଟିସି ର ୱେବସାଇଟ୍ ଯାଇ ସମସ୍ତ ସୂଚନା ଜାଣିପାରିବେ ।