ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଚୈତ୍ର ମାସର ଖୁବ୍ ମହତ୍ୱ ରହିଛି । କାରଣ ଏହା ହିନ୍ଦୁ କ୍ୟାଲେଣ୍ଡରର ପ୍ରଥମ ମାସ । ଏହି ମାସରେ ଅନେକ ବ୍ରତ ପାଳନ କରାଯାଏ । ଏହାସହିତ ଏହି ମାସରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ । ସେହିପରି ଏହି ମାସରେ ଚୈତ୍ର ନବରାତ୍ରୀ ପାଳିତ ହୋଇଥାଏ । ଚୈତ୍ର ନବରାତ୍ରୀର ନଅ ଦିନ ଯାଏଁ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷକରେ ମୋଟ ୪ଟି ନବରାତ୍ରୀ ପଡିଥାଏ ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ ।
ଏଥର ଏପ୍ରିଲ ୨ ରୁ ଆରମ୍ଭ ଚୈତ୍ର ନବରାତ୍ରୀ ଏହା ଏପ୍ରିଲ ୧୧ ଯାଏଁ ଚାଲିବ । ୯ ଦିନ ଯାଏଁ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ ମା ଦୁର୍ଗା । ଏହାର ଖୁବ୍ ମହତ୍ୱ ରହିଛି । ଏହାସହିତ ବାର ଅନୁଯାୟୀ ମା’ଙ୍କର ବାହାନ ହୋଇଥାଏ । ଏଥରକ ଶନିବାର ନବରାତ୍ରୀ ଆରମ୍ଭ ହେଉଛି । ସେଥିପାଇଁ ମା ଦୁର୍ଗା ଘୋଡା ଉପରେ ବସି ଧରା ପୃଷ୍ଠରେ ଅବତରଣ କରିବେ । ନବରାତ୍ରୀ ପାଇଁ ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ୬ ଟା ୨୨ ମିନିଟ୍ ରୁ ଆରମ୍ଭ ହୋଇ ୮ଟା ୩୧ ମିନିଟ୍ ଯାଏଁ ରହିବ ।