ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଶାରଦୀୟ ନବରାତ୍ରୀ । ଆସନ୍ତା ୨୬ ତାରିଖରେ ନବରାତ୍ରୀ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ । ସେହିପରି ଅକ୍ଟୋବର ୫ରେ ଦଶହରା । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ପ୍ରାଚୀନ କାଳରୁ ନବରାତ୍ରୀ ପାଳିତ ହୋଇ ଆସୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ନବରାତ୍ରୀ ପର୍ବ ପାଳନ କରାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଶାରଦୀୟ ନବରାତ୍ରୀ ପର୍ବ କାହିଁକି ପାଳନ କରାଯାଏ । କଣ ରହିଛି ଏହାର ପୌରାଣିକ ମାନ୍ୟତା । ତେବେ ଆସନ୍ତୁ ଜାଣିବା..
ଶାରଦୀୟ ନବରାତ୍ରୀ ପାଳନକୁ ନେଇ ଅନେକ ମାନ୍ୟତା ରହିଛି । ସେଥିମଧ୍ୟରୁ ଏକ ପୌରାଣିକ ମାନ୍ୟତା ଅନୁସାରେ, ମହିଶାଷୁର ନାମକ ଜଣେ ଦତ୍ୟ ଥିଲା । ଯିଏ ବ୍ରହ୍ମାଙ୍କଠାରୁ ଅମର ବରଦାନ ପାଇ ଦେବତାଙ୍କ ଉପରେ ଅତ୍ୟାଚାର କରୁଥିଲା । ମହିଶାଷୁରର ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ ସମସ୍ତ ଦେବତା ଶିବ, ବିଷ୍ଣୁ ଏବଂ ବ୍ରହ୍ମାଙ୍କ ନିକଟକୁ ଗଲେ । ଏହାପରେ ଦେବତା ତ୍ରୟ ଆଦିଶକ୍ତିଙ୍କୁ ଆବାହନ କଲେ । ଭଗବାନ ଶିବ ଏବଂ ବିଷ୍ଣୁଙ୍କ କ୍ରୋଧ ଏବଂ ଅନ୍ୟ ଦେବତାଙ୍କ ମୁଖରୁ ତେଜ ପ୍ରକଟ ହେଲା । ଯାହା ନାରୀ ରୂପରେ ବଦଳିଗଲା । ଅନ୍ୟ ଦେବତାମାନେ ତାଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ । ଏହାପରେ ଦେବତାଙ୍କଠାରୁ ଶକ୍ତି ପାଇ ଦେବୀ ଦୁର୍ଗା , ମହିଶାଷୁର ସହ ଯୁଦ୍ଧ ଆରମ୍ଭ କଲେ । ଯାହା ୯ ଦିନ ଯାକ ଚାଲିଲା । ଦଶମ ଦିନରେ ମହିଶାଷୁର ବଧ କଲେ ଦେବୀ ଦୁର୍ଗା । ମାନ୍ୟତା ରହିଛି କି ୯ଦିନ ଯାକ ଦେବତାମାନେ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ତାଙ୍କୁ ବଳ ପ୍ରଦାନ କରୁଥିଲେ । ସେବେଠାରୁ ହିଁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି ।
ନବରାତ୍ରୀର ଏକ ପ୍ରଥା ପ୍ରଭୁ ଶ୍ରୀରାମଙ୍କ ସହ ଜଡିତ । କୁହାଯାଏ କି ରାବଣ କବଳରୁ ମାତା ସୀତାଙ୍କୁ ଛଡାଇବା ଏବଂ ରାବଣଠୁ ବିଜୟ ପ୍ରାପ୍ତ ପାଇଁ ଦେବୀ ଦୁର୍ଗାଙ୍କ ଅନୁଷ୍ଠାନ କରିଥିଲେ ଶ୍ରୀରାମ । ଲଗାତର ୯ ଦିନ ଯାକ ଚାଲିଲା ଏହି ଅନୁଷ୍ଠାନ । ଅନ୍ତିମ ଦିନରେ ଦେବୀ ମା ପ୍ରକଟ ହୋଇ ଶ୍ରୀରାମଙ୍କୁ ବିଜୟପ୍ରାପ୍ତର ଆର୍ଶିବାଦ ଦେଇଥିଲେ । ଦଶମ ଦିନ ରାବଣକୁ ବଧ କରିଥିଲେ ଶ୍ରୀରାମ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବମୀ ଯାଏଁ ଦୁର୍ଗାଙ୍କ ସାଧନା କରି ଦଶମୀ ଦିନ ରାବଣକୁ ବଧ କରିଥିଲେ ଶ୍ରୀରାମ । ସେବେଠୁ ପ୍ରତ୍ୟେକ ବର୍ଷ ନବରାତ୍ରୀ ପର୍ବ ପାଳନ କରାଯାଉଛି ।