ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଣିକି ଭୁବନେଶ୍ୱର ବିମାନ ବନ୍ଦରରେ ଆଉ ହଇରାଣ ହେବାକୁ ପଡିବ ନାହିଁ ଯାତ୍ରୀଙ୍କ ସଂପର୍କୀୟଙ୍କୁ । କାରଣ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ (ଏଣ୍ଟ୍ରି ଫି) କିମ୍ବା ପାର୍କିଂ ଫି । ଏହାକୁ ଉଚ୍ଛେଦ ପାଇଁ ନିଷ୍ପତି ନେଇଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ । ଡିସେମ୍ବର ୧୦, ୨୦୧୮ରେ ବିଭାଗ ତରଫରୁ ଆସିଥିବା ନୂଆ ପଲିସି ଦ୍ୱାରା ଏହି ଶୁଳ୍କ ଉଚ୍ଛେଦ ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ସଂସଦରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ।
ଡିସେମ୍ବର ମାସରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପ୍ରବେଶ ଓ ପାର୍କିଂ ପାଇଁ ନୂଆ ପଲିସି ଜାରୀ କରାଯାଇଛି । ବ୍ୟବସାୟିକ (କମର୍ସିଆଲ) ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନକୁ ବିମାନ ବନ୍ଦର ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ବିନା ପ୍ରବେଶ ଶୁଳ୍କରେ ପ୍ରବେଶ କରାଯିବ । ସେଠାରେ ଯାତ୍ରୀଙ୍କୁ ଛାଡିବା କିମ୍ବା ଆଣିବାକୁ ଯାଇଥିବା ଯାନ ଗୁଡିକ ମାଗଣାରେ ପାର୍କିଂ କରିପାରିବେ ।
ତେବେ ଏହା ସଂପୂର୍ଣ୍ଣ ମାଗଣା ସେବା ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଏଏଆଇ ତରଫରୁ ଏକ ସମୟ ସାରଣୀ ନିର୍ଘଣ୍ଟ ହେବ । ଯେଉଁ ସମୟରେ ଏହି ମାଗଣା ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସିହ୍ନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିମାନବନ୍ଦରକୁ ନିଜ ପରିଜନଙ୍କୁ ଆଣିବା କିମ୍ବା ଛାଡିବା ପାଇଁ ଯାଉଥିବା ବ୍ୟକ୍ତି ମଧ୍ୟ ପାର୍କିଂ ଫି ଦେଉଥିଲେ । ଏହାସହ ପାର୍କିଂ ଷ୍ଟାଫଙ୍କ ଦ୍ୱାରା ଦୁର୍ବ୍ୟବହାରର ଶୀକାର ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହାଦ୍ୱାରା ଆନ୍ତର୍ଜାତିକ ବିମାନବନ୍ଦରର ସୁନାମ ହାନି ହେଉଥିବା ବେଳେ ଏଥିରେ ହସ୍ତକ୍ଷେପ କରି ଏଭଳି ନିଷ୍ପତି ନେଇଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ । ଏହାଦ୍ୱାରା ଯାତ୍ରୀ ଓ ଯାତ୍ରୀଙ୍କ ସଂପର୍କୀୟ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି ।