ସୋନପୁର (ଏଟିଆର ବ୍ୟୁରୋ); ବୀରମହାରାଜପୁର ଆସନରେ ବିଜେଡିର ରହିଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । ତେବେ ଏଠାରେ ଦଳୀୟ କନ୍ଦଳ ବାଟରେ ପଡି ହାଟରେ ଗଡୁଛି । ଯାହାକି ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚଳିତ ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଦଳରେ ଅଙ୍କକଷା । ଏଠାରେ ୨୦୧୪ ନିର୍ବାଚନରେ ପନ୍ମନାଭ ବେହେରା ବିପୁଳ ପରିମାଣରେ ଭୋଟ ପାଇ ବିଜୟ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଧାୟକଙ୍କ ବିରୋଧୀ ନିଜ ଦଳରେ ଉଭା ହେବାରେ ଲାଗିଛନ୍ତି । ଏଣୁ ବିଧାୟକଙ୍କ ଟିକେଟ କଟିବା ଏକପ୍ରକାର ସଠିକ ବୋଲି ଚର୍ଚ୍ଚା ହେଉଛି । ତେବେ ଏଠାରେ ବିଜେଡି ପକ୍ଷରୁ ଆଶାୟୀ ପ୍ରାର୍ଥୀମାନେ ହେଲେ ବିଜେଡି ଦଳରୁ ପୂର୍ବ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,ବବଲୁ ବିଶି,ରୁଷି ପଟେଲ,ପଦାର୍ଥ ଜଗଦଲା ।
ଦଳୀୟ କନ୍ଦଳକୁ ସମାଧାନ କରୁଥିବା ବେଳେ ବିଜେଡି ବିରୋଧୀମାନେ ଏହାର ଫାଇଦା ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୪ ନିର୍ବାଚନରେ ସହଜରେ ବିଜୟ ହୋଇଥିବା ବିଜେଡି ବିଧାୟକ ପଦ୍ମନାଭଙ୍କ ଢ଼ଙ୍ଗ ମଉଳିବାରେ ଲାଗିଛି । ଅପରପକ୍ଷରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଡ କୁହାଯାଉଥିବା ଏହି ଆସନରେ ପଦ୍ମ ଫୁଟିଥିଲା । ନିର୍ବାଚନ ମଣ୍ଡଳୀର ୬ଟି ଜିଲ୍ଲାପରିଷଦ ଆସନରୁ ୬ଟି ଯାକ ମୂଳପୋଛ କରିଥିଲା ବିଜେପି । ବିଜେପି ୬ଟି ଯାକ ଆସନରୁ ୮୩ ଜହାର ୭୯୬ ଖଣ୍ଡ ଭୋଟ ପାଇଥିଲା । ଅପରପକ୍ଷରେ ବିଜେଡି ଏଠାରେ ୫୩ ହଜାର ୨୧୮ ଖଣ୍ଡ ଭୋଟ ପାଇଥିଲା ।
ତେବେ ଏହା ବିଜେଡି ଗଡ ହୋଇଥିଲେ ସୁଦ୍ଧା ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ବାଜି ମାରିଦେଇଥିଲା । ଏଣୁ ସାଧାରଣ ନିର୍ବାଚନରେ ବିଜେପିର ପଲ୍ଲା ଭାରିଥିବା ବେଳେ ବିଜେଡିର ଦଳୀୟ କନ୍ଦଳ ବିରୋଧୀଙ୍କ ସପକ୍ଷରେ ଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଏଠାରେ କାହା ଉପରେ ଭରଷା ରଖି ବିଜେଡି ସୁପ୍ରିମୋ ଟିକେଟ ଦେବେ ଏବଂ ବିରୋଧୀ ଦଳରେ କିଏ ଲଢ଼ିବେ ତାହା ସମୟ କହିବ । ତେବେ କେବଳ ବିଜେଡି ନୁହେଁ ଅନ୍ୟଦଳମାନଙ୍କରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିବାରେ ଲାଗିଛି । ଏଣୁ ବୀରମହାରାଜପୁରବାସୀ କାହା ଉପରେ ଭରଷା ରଖି ନିଜର ମତ ରଖିବେ ତାହା ଉପରେ ସମସ୍ତଙ୍କ ନଜର ।