ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିକୁ ଠିକ ୭ବର୍ଷ ତଳେ ର୍ନିଭୟା ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣା ସାରା ଭାରତକୁ ସ୍ତବ୍ଧ କରିଦେଇଥିଲା । ଏମିତି ବି ଅପରାଧ ହୋଇପାରେ ତାହା ହୁଏତ ପୁର୍ବରୁ କେବେ କେହି ଭାବିନଥିବେ ।
ଏହା ପରେ ହିଁ ଦୁଷ୍କର୍ମ ଭଳି ଏକ ଜଘନ୍ୟ ଅପରାଧ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଫାଶୀ ଦଣ୍ଡ ସ୍ଥିର କରିଥିଲେ ।
ଏହାଛଡା ହତ୍ୟା, ଦେଶଦ୍ରୋହ, ଅପହରଣ, କଠୋର ଅତ୍ୟାଚାର ଓ ଏମିତି ଜଘନ୍ୟ ଅପରାଧ ପାଇଁ ଭାରତ ସମ୍ବିଧାନରେ ଫାଶୀ ଭଳି କଠୋର ଦଣ୍ଡ ବ୍ୟବସ୍ଥା ରହିଛି ।
ତେବେ ସତରେ କଣ ଫାଶୀ ଦଣ୍ଡ କଠୋର? ଭାରତର ନ୍ୟାୟିକ ବ୍ୟବସ୍ଥାରେ ଫାଶୀ ଭଳି ଏକ ଗୁରୁତ୍ୱପୁଣ୍ଣ ଦଣ୍ଡ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ ହେଉଛି?
ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ୨୫୦୦ରୁ ଅଧିକ ଫାଶୀ ଦଣ୍ଡାଦେଶ ହୋଇଛି । ହେଲେ ୭୨ ବର୍ଷ ଭିତରେ ମାତ୍ର ୨୧ ଜଣଙ୍କୁ ଫାଶୀ ଦିଆଯାଇପାରିଛି । ଶେଷଥର ପାଇଁ ୧୯୯୩ ମୁମ୍ବାଇ ବ୍ଳାଷ୍ଟ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ୍ ମେନନ କୁ ୨୦୧୫ରେ ଫାଶୀ ଦିଆଯାଇଥିଲା ।
ତେବେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ହେବା ପରେ ତାକୁ ତୁରନ୍ତ ଫାଶୀ ଦେବାର ବ୍ୟବସ୍ଥା ହୁଏତ ଆମ ସମ୍ବିଧାନରେ ନାହିଁ । ସେଥିପାଇଁ ହୁଏତ ପୁର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ସେହି ୨୫୦୦ରୁ ଅଧିକ ଦୋଷୀଙ୍କୁ ଆଜି ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିନି ।
ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ରାୟ ବଦଳାଇ ଆଜିବନ କାରାଦଣ୍ଡ ଦିଆଯାଇଛି ତ ପୁଣି କାହାକୁ ସାଧାରଣ ଜେଲ ଦଣ୍ଡ ଦିଆଯାଇଛି ।ଏବେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ଯଦି ଏହି ଦୋଷୀମାନେ ଫାଶୀ ଦଣ୍ଡ ପାଇବା ଭଳି ଦୋଷ କରିଥିଲେ ତେବେ ଏମାନଙ୍କ ଦଣ୍ଡ କାହିଁକି କମାଇଦିଆଯାଏ । ଆମ ସମ୍ବିଧାନରେ ଏପରି ବ୍ୟବସ୍ଥା କଣ ପାଇଁ ରହିଛି ଯାହା ଜଣେ ଜଘନ୍ୟ ଦୋଷୀକୁ ନିଜ ଚରିତ୍ର ବଦଳାଇବାର ସୁଯୋଗ ଦିଏ? ଏପରି ବ୍ୟବସ୍ଥା କଣ ଅପରାଧ କମାଇବାରେ ସହାୟକ ହୋଇପାରେ?
ଆମ ସମ୍ବିଧାନ ଅନୁସାରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ବୋଧ ହୁଏ ଏହି କାରଣ ପାଇଁ ଦେଶଦ୍ରୋହ, ଦୁଷ୍କର୍ମ ଭଳି ଘୃଣ୍ୟ ଓ ଜଘନ୍ୟ ଅପରାଧ କରିଥିବା ଅପରାଧି ମାନଙ୍କୁ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାର ସୁଯୋଗ ଦିଆଯାଏ ।
ଫାଶୀ ଦଣ୍ଡାଦେଶର ୭-୧୧ ବର୍ଷ ମଧ୍ୟରେ ଜଣେ ଅଭିଯୁକ୍ତର ପରିବାର ତାକୁ ନିର୍ଦୋଷ ସାବ୍ୟସ୍ତ କରାଇ ପାରିବେ । କେବଳ ଏହି ନିୟମ ପାଇଁ କଣ ଗୋଟିଏ ଜଘନ୍ୟ ଅପରାଧୀକୁ ଦୀର୍ଘ ଦିନ ପାଇଁ ଦେଶର ସମୁହ ରାଜସ୍ୱ ଖର୍ଚ୍ଚ କରି ତାକୁ ବଞ୍ଚାଇ ରଖାଯାଇଥାଏ ।
ଆମ ସମ୍ବିଧାନର ଏଭଳି ବ୍ୟବସ୍ଥାରେ ଫାଶୀକୁ ନେଇ ଲୋକଙ୍କ ମନରେ କେତେ ଭୟ ସୃଷ୍ଟି ହୋଇପାରିବ ଏବଂ ଭାରତରେ ଅପରାଧ କେତେ କମାଯାଇ ପାରିବ ତାର ଉତ୍ତର କେବଳ ଆମ ସମ୍ବିଧାନ ହିଁ ଦେଇପାରିବ ।