ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଆଗକୁ ବର୍ଷା ଋତୁ । ପାଣିରେ ଉବୁଟୁବୁ ହେବ ପୂରା ସହର । ନାଳ ନର୍ଦ୍ଦମା କଥା ତ’ ନକହିଲେ ଭଲ । ନାଳରେ ପାଣି ନିଷ୍କାସନ ନହେବା କାରଣରୁ ଏବେ ବର୍ଷାପାଣି ପୂରା ସହରରେ ଲହଡି ମାରୁଛି । ସମସ୍ୟା କେବଳ ଆମ ରାଜ୍ୟରେ ନୁହେଁ ଅନେକ ରାଜ୍ୟରେ ଏବେ ଏଭଳି ପରିସ୍ଥିତି । ଏହାର ମୁଖ୍ୟ କାରଣ ଅଳିଆ ଆବର୍ଜନା ପଡି ନାଳ ପୋତିହେବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି ।
ଯାହାକୁ ହୃଦୟଙ୍ଗମ କରି ଆଜି ଜଣେ ଜିଲ୍ଲାପାଳ ନିଜ ହାତରେ ନାଳ ନର୍ଦ୍ଦମା ସଫା କରିଛନ୍ତି । ବିଶ୍ୱାସ ହେଉନଥିଲେ ବି ଜଣେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରୁ । ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଦୁର୍ଗନ୍ଧମୟ ନର୍ଦ୍ଦମାର ଆବର୍ଜନାକୁ ସଫା କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପୃକ୍ତ ନାଳଟିକୁ ସ୍ଥାନୀୟ ଲୋକେ ଆବର୍ଜନା ପକାଇ ପକାଇ ଏକ ପ୍ରକାର ପୋତି ଦେଇଥିଲେ । ଫଳରେ ଜଳ ନଷ୍କାସନରେ ବାଧା ଉପୁଜୁଥିଲା । ତେବେ ଏନେଇ ଜିଲ୍ଲାପାଳଙ୍କ କହିବା କଥା ଥିଲା, ଆମ ଚାରିପାଖକୁ ସଫା ରଖିବା ଆମର ପ୍ରଥମ ଦାୟିତ୍ୱ ।
ଏହି ନର୍ଦ୍ଦମା ସଫା କାମ ବହୁ ଆଗରୁ କରିବାର ଥିଲା । ଏଥିପାଇଁ ଆମେ ସଚେତନ ହେବା ଦରକାର । ଯଦି ଆମେ ଏହାକୁ ସଫା ନକରିବା ତେବେ ଏହାର କୁଫଳ ଆମକୁ ହିଁ ଭୋଗିବାକୁ ପଡିବ । ସେ ଯାହାବି ହେଉ ଜିଲ୍ଲାପାଳଙ୍କ ଏହି କଥା ଓ କାମକୁ ନେଇ ପୂରା ଉତ୍ତରପ୍ରଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି ।