ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାହାଘରର ଚାରି ମାସ ପରେ ଏବେ ଦ୍ୱନ୍ଦରେ ଦମ୍ପତ୍ତି । ଏବେ ଜୀବନରୁ ସମ୍ପୂର୍ଣ୍ଣ ମାରି ଦେବାକୁ ଧମକ । ରାସ୍ତା ଘାଟରେ ଚାଲିବାକୁ ବି ଡରୁଛନ୍ତି । ଏହି ଧମକ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ଆସିନାହିଁ ବରଂ ଝିଅର ବାପଘର ଲୋକେ ଏଭଳି କରିଛନ୍ତି । ଯେଉଁଥି ପାଇଁ ଏବେ ସୋସିଆଲ ମିଡିଆର ସାହାଯ୍ୟ ଲୋଡିଛନ୍ତି ଦମ୍ପତ୍ତି । ଆଜ୍ଞା ହଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ସିଧାସଳଖ ଜାଣିବାକୁ ମିଳିଛି ଯେ ଅପୂର୍ବ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ସୋନାଲି ସାହୁଙ୍କୁ ପ୍ରାପ୍ତ ବୟସରେ ବୈଦିକ ରୀତିନୀତିରେ ଗତ ନଭେମ୍ବର ୨୪ ତାରିଖରେ ବରଗଡର ନୃସିଂହନାଥ ମନ୍ଦିରରେ ବିବାହ କରିଥିଲେ ।
ମାତ୍ର ବାହାଘର ପରେ ଝିଅ ଘରର ପରିବାର ଲୋକେ ଅପୂର୍ବଙ୍କ ନାଁରେ ହିନ୍ଦୋଳ ଥାନା ଫାଣ୍ଡିରେ ମିଥ୍ୟା ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁଯାୟୀ ସୋନାଲିଙ୍କ ଘରେ ପଶି ଅପୂର୍ବ ସମସ୍ତ ଅଳଙ୍କାରମାନ ଲୁଟିବା ସହ ବନ୍ଧୁକ ଦେଖାଇ ସୋନାଲିଙ୍କୁ ଅପହରଣ କରି ନେଇଛନ୍ତି । କିନ୍ତୁ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢା ବୋଲି ପୋଲିସ୍ ଡିଆଇଜିଙ୍କ ପରାମଶ୍ର କ୍ରମେ ଢେଙ୍କାନାଳର ଏସପି ,ଏସଡିପିଓ,ଆଇଆଇସି,ଫାଣ୍ଡି ଅଧିକାରୀ ଏବଂ ଉପସ୍ଥିତରେ ସୋନାଲିଙ୍କ ବୟାନ ମିଥ୍ୟା ପ୍ରମାଣିତ ହୋଇଥିଲା ।
ମାତ୍ର ସୋନାଲିଙ୍କ ବୟାନ ଅନୁଯାୟୀ ପୋଲିସ ଅଫିସରଙ୍କ ସାମ୍ନାରେ ତାଙ୍କ ପରିବାର ଲୋକେ ଭୁଲ୍ ପ୍ରମାଣିତ ହେବା ପରେ ବି ସେମାନେ ଶାନ୍ତିରେ ଚୁପ୍ ବଶି ନାହାନ୍ତି । ସୋନାଲି ଏବଂ ଅପୂର୍ବଙ୍କୁ ଜୀବନରୁ ମାରିଦେବାକୁ ତାଙ୍କ ଦାଦା ପ୍ରଣୟ ସାହୁ ଚାରିଆଡେ ଗୁଣ୍ଡା ଲଗାଇ ଦେଇଛନ୍ତି । ଫାୟାର ଷ୍ଟେସନ ଅଫିସର ଭାବେ ଅପୂର୍ବ କାର୍ଯ୍ୟ କରନ୍ତି । କିନ୍ତୁ ଏବେ ତାଙ୍କର ପୋଷ୍ଟିଂ କଳାହାଣ୍ଡକୁ ହୋଇଯାଇଛି । ତାହାର ଫାଇଦା ଉଠାଇ ସୋନାଲିଙ୍କ ପରିବାର ଲୋକ ଗତକାଲି ରାତିରେ ତାଙ୍କୁ ଘରୁ ଉଠାଇ ନେଇ ସୋନାଲି ପେଟରେ ଥିବା ଶିଶୁକୁ ଗର୍ଭପାତ କରାଇଛନ୍ତି । କେବଳ ଏତିକି ନୂହେଁ ଅପୂର୍ବଙ୍କ ଭଉଣୀ ଏନେଇ ବିରୋଧ କରିବାରୁ ତାଙ୍କୁ ମାରି ରକ୍ତାକ୍ତ କରି ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି କି କାହିଁକି ଚୁପ୍ ବସିଛି ପୋଲିସ୍ । ସବୁ କିଛି ଜାଣି ଶୁଣି କୌଣସି ପଦକ୍ଷେପ ନେଉନି କାହିଁକି । ନା ସୋନାଲିଙ୍କ ପରିବାର ଲୋକେ ପୋଲିସଙ୍କୁ ଚୁପ୍ ରହିବା ପାଇଁ ଲାଞ୍ଚ ଦେଇ ନାହାନ୍ତି ତ? ଯାହାଫଳରେ ଏବେ ଅପୂର୍ବ ଏବଂ ସୋନାଲି ସୋସିଆଲ ମିଡିଆର ସାହାର ନେଇଛନ୍ତି । ଏହାସହିତ ଯଦି ତାଙ୍କୁ ଏହି ମାମଲାରେ କୌଣସି ନ୍ୟାୟ ନମିଳେ ତେବେ ସେ ଦୁହେଁ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଛନ୍ତି ।