ନୟାଗଡ (ଏଟିଆର ବ୍ୟୁରୋ); ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପୁଣିଥରେ ବିଜେଡିର ବିଜୟ ହୋଇଛି । ବିଜେଡିର ରମେଶ ବେହେରା ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପରାସ୍ତ କରିଛନ୍ତି । ବିଜେଡିର ଗଡ କୁହାଯାଉଥିବା ଦଶପଲ୍ଲାରେ ଦଳର ସମ୍ମାନ ରଖିଛନ୍ତି ରମେଶ । ଦୀର୍ଘ ୪ଟି ନିର୍ବାଚନରେ ଏଠାରେ ବିଜେଡିର ବିଜୟ ହୋଇଛି । ଏହି ଧାରାକୁ ରମେଶ ବଜାୟ ରଖିଥିବାରୁ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ବେଶ ଖୁସି ଅଛନ୍ତି ।
୨୦୧୪ ନିର୍ବାଚନରେ ଏଠାରେ ବିଜେଡି ବିଜୟ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ନାୟକ । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇନଥିଲା । ଶେଷ ସମୟରେ ସେ ବିଜେପିରେ ଯୋଗ ଦେଇ ଟିକେଟ ହାତେଇଥିଲେ । ବିଜେଡି ନୂଆ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ରମେଶ ବେହେରାଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ପକ୍ଷରୁ ଏଠାରେ ପ୍ରସାନ୍ତ ବେହେରା ନିର୍ବାଚନକୁ ଓହ୍ଲାଇଥିଲେ । କିନ୍ତୁ ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ଲଢ଼େଇରେ ତାଙ୍କର ସତ୍ତା ରହିନଥିଲା । ପଞ୍ଚାୟତ ନିର୍ବାଚନରେ ସରପଞ୍ଚଙ୍କଠାରୁ ମଧ୍ୟ କମ ଭୋଟ ପାଇଥିଲା କଂଗ୍ରେସ ।
ରମେଶ ବେହେରା ଏବଂ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏଠାରେ ଉଭୟ ବେଶ ସକ୍ରିୟ ଥିଲେ । ପ୍ରଚାର ମଧ୍ୟ ଜୋରଦାର ହୋଇଥିଲା । ଯାହାର ଫଳ ସ୍ୱରୂପ ଗଣତି ସମୟରେ ଦେଖିବାକୁ ମିଳିଥିଲା । ପ୍ରତି ବୁଥରେ ଆଗ ପଛ ହୋଇ ଚାଲିଥିଲେ । କିନ୍ତୁ ଶେଷରେ ରମେଶ ବାଜି ମାରିନେଇଥିଲେ । ରମେଶ ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଥିଲେ । ତେବେ ସେ ପ୍ରଥମ ପରୀକ୍ଷାରେ ପାସ କରିବା ସହିତ ଦଶପଲ୍ଲାରେ ବିଜେଡିର ଗଡକୁ ବଜାୟ ରଖିଛନ୍ତି ।