ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ । ସୁପର ସଣ୍ଡେରେ ସୁପର ଇନିଂସ ଆରମ୍ଭ କରିବେ ଦିଲୀପ ରାୟ । ପୁଣି ଥରେ ପୁରଣା ଘରକୁ ବାହୁଡିବେ ରାଉରକେଲା ପୂର୍ବତନ ବିଧାୟକ ଦିଲୀପ ରାୟ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ ଏହି ଭେଟେରିଆନ ରାଜନେତା । ତେବେ ସେ ବିଜେଡିରେ ଯୋଗ ଦେବା ପରେ ତାଙ୍କର ପାୱାର ଦଳରେ ଆହୁରି ବଢ଼ିଯିବ । ସୁନ୍ଦରଗଡ ଜିଲ୍ଲାର ସମସ୍ତ ଆସନରେ କିଏ କେଉଁଠାରୁ ଦଳୀୟ ପ୍ରାର୍ଥୀ ହେବେ ସେହି ଦାୟିତ୍ୱ ମଧ୍ୟ ଦିଲୀପଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି ।
ବିଜେଡିରେ ଅୋଲାଡା ହୋଇ ବିଜେପିରେ ଯୋଗ ଦେଇଥିବା ଦିଲୀପ ରାୟ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା । ବିଜୁବାବୁଙ୍କ ଅମଳରେ ଯେଉଁ ଦବଦବା ରହିଥିଲା ସମାନ ଦବଦବା ଆଜି ପର୍ଯ୍ୟନ୍ତ ବଜାୟ ରଖଇଛନ୍ତି ଦିଲୀପ । ତେବେ ୨୦୧୪ ନିର୍ବାଚନରେ ସେ ଇସ୍ତାତ ନଗରୀ ରାଉରକେଲାରେ ବିଜୟ ବାନା ଉଡାଇଥିଲେ । ଅପରପକ୍ଷରେ ଓଡିଶାରୁ ଏକମାତ୍ର ଲୋକସଭା ପ୍ରାର୍ଥୀ ଜିତିଥିବା ଜୁଏଲ ଓରାମଙ୍କ ବିଜୟ କେବଳ ଦିଲୀପଙ୍କ ପାଇଁ ସମ୍ଭବ ହୋଇଥିଲା ବୋଲି ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା । ଏଣୁ ବିଜେପି ଛାଡିବା ପରେ ଦିଲୀପ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ଆସନ୍ତା କାଲି ସତରେ ପରିଣତ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ଓଡିଶା ରାଜନୀତିରେ ବିଜୁଙ୍କ ଅନୁଗତ ଭାବରେ ବେଶ ପରିଚିତ ଦାମଙ୍କ ପରେ ଦିଲୀପଙ୍କ ସ୍ଥାନ ରହିଥିବା ବେଶ ଭଲ ଭାବରେ ସମସ୍ତଙ୍କୁ ଜଣା । ବାପାଙ୍କ ସହିତ ରାଜନୈତିକ କ୍ୟାରିୟର ଆରମ୍ଭ କରି ପୁଅ ସହ ଶେଷ ପର୍ଯ୍ୟନ୍ତ ଦଳରେ ରହିବେ ଏବଂ ପୂର୍ଣ୍ଣ ସହଯୋଗ କରିବେ ବୋଲି ଶୁଣିବାକୁ ମିଳୁଛି । ସେପଟେ ଦିଲୀପଙ୍କ ଘର ବାହୁଡାକୁ ନେଇ ବେଶ ଖୁସି ଅଛନ୍ତି ଦଳର ଅନେକ କର୍ମୀ । କାରଣ ଦିଲୀପଙ୍କ ଭଳି ଟାଣୁଆଁ ନେତା ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ରଖିଛନ୍ତି । ତେବେ ଆସନ୍ତା କାଲି କଣ ହେଉଛି ତାଉପରେ ସମସ୍ତଙ୍କ ନଜର ।