ରାୟଗଡା (ଏଟିଆର ବ୍ୟୁରୋ ) ; ରାଜ୍ୟରେ ତାଣ୍ଡବ ରଚୁଛି ବର୍ଷା । ବତ୍ୟାର ବିପଦ ଦୂରେଇ ଯାଇଥିବା ବେଳେ ବର୍ଷା ପାଇଁ ଲୋକେ ନାହିଁ ନଥିବା କଷ୍ଟ ସହୁଛନ୍ତି । ବିଶେଷକରି ବେଶୀ ବାଧାପ୍ରାପ୍ତ ହେଉଛି ଟ୍ରେନ ଚଳାଚଳ । ବର୍ଷା କାରଣରୁ ସୃଷ୍ଟି ହେଉଥିବା ବିପଦ ପାଇଁ ରେଳବାଇ ପକ୍ଷରୁ ସତର୍କ କରାଯାଇଥିବା ବେଳେ ବର୍ଷା ଯୋଗୁ ଟ୍ରେନ ଚଳାଚଳ ଏକ ଦମ ଠପ ହୋଇଯାଇଛି । ଏକାଧିକ ସ୍ଥାନରେ ଟ୍ରେନ ଗୁଡିକ ଅଟକି ରହିଛି । ବାତ୍ୟାର ସ୍ୱଳ୍ପ ପ୍ରଭାବରେ ରେଳଧାରଣ ଉପରେ ଭାଙ୍ଗି ପଡିଛି ବିଶାଳକାୟ ଗଛ । ଧାରଣା ଉପରେ ଗଛ ପଡିରହିଥିବାରୁ ବିଭିନ୍ନ ଜାଗାକୁ ଯାଉଥିବା ଟ୍ରେନ ଗୁଡିକ ଅଟକି ରହିଛି । ଯାହା କାରଣରୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ବର୍ଷା ଯୋଗୁ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ରେଳ ଚଳାଚଳ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ସ୍ଥାନୀୟ ଆମ୍ବଦୋଳା ଓ ଦହିଖାଳ ରେଳ ଲାଇନରେ ଗଛ ପଡିଯାଇଛି । ଫଳରେ ଅଟକିରହିଛି ସନ୍ତ୍ରାକାଛି – ଚେନ୍ନାଇ ଏକ୍ସପ୍ରେସ । ସେପଟେ ଆମ୍ବଦୋଳା ଠାରେ ଗାନ୍ଧିଧାମ – ପୁରୀ ଏକ୍ସପ୍ରେସ ଅଟକିରହିଥିବା ବେଳେ ବିଷମକଟକ ଠାରେ ତିରୁପତି – ବିଳାସପୁର ଏକ୍ସପ୍ରେସ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ତେବେ ରେଳଧାରଣରୁ ଗଛ ଗୁଡିକ ହଟାଇବା କାର୍ଯ୍ୟ ଜାରି ରହିଛି । ଧିରେ ଧିରେ ଧାରଣା ଉପରୁ ଗଛ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଯାଉଛି । ଅତିଶିଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବା ନେଇ ଅନୁମାନ କରାଯାଉଛି ।