ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାତ୍ୟା ବିପର୍ଣ୍ଣଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଦୂର ହେଉନି । ପାଲ ଖଣ୍ଡେ ପାଇଁ ଖରାରେ ସିଝୁଛନ୍ତି ଲୋକ । ତେବେ ରିଲିଫ ପାଇବା ପାଇଁ କଲବଲ ହୋଇ ଖରାରେ ଲମ୍ବା ଲାଇନରେ ମଧ୍ୟ ଛିଡା ହେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜରେ ଦିଆଯାଉଥିବା ରିଲିଫ ପାଇଁ ବସ୍ତି ବାସିନ୍ଦାଙ୍କ ଲମ୍ବା ଲାଇନ ଲାଗିଛି ।
ଖରାକୁ ଖାତିର ନକରି ଲୋକମାନେ ରିଲିଫ ଆଶାରେ ଧାଡି ବାନ୍ଧୁଛନ୍ତି । ତେବେ ଯାହାର ରାସନ କାର୍ଡ ଅଛି ସେମାନଙ୍କୁ ରିଲିଫ ମିଳୁଥିବା ବେଳେ ବାକି ଅସହାୟଙ୍କୁ ସହଯୋଗ ମିଳୁନଥିବା ଦେଖିବାକୁ ମିଳୁଛି । ପର ଘରେ ବାସନ ମାଜି ହେଉ ବା କାମ କରି ବସ୍ତିରେ ଘର କରି ରହୁଥିବା ବହୁ ଲୋକଙ୍କ ରାସନ କାର୍ଡ ନାହିଁ । ତେବେ ସେମାନେ ରିଲିଫରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଚାଳ ଚୁଲି ନଥିବା କେତେକ ଭଡାଟିଆ ଲୋକ ରାସନ କାର୍ଡ ବଳରେ ରିଲିଫ ପାଉଥିବା ଶୁଣିବାକୁ ମିଳୁଛି ।
ରିଲିଫ ବଣ୍ଟା ହେବା ଦିନଠାରୁ ଅସନ୍ତୋଷ ଲାଗିରହିଛି । କେଉଁଠି ବିକଳରେ ଲୋକ ଛଡାଇ ନେଲେଣି ତ ଆଉ କେଉଁଠି ନପାଇ ନିରାଶରେ ଘରକୁ ଫେରୁଛନ୍ତି ନିସହାୟ । ବାତ୍ୟା କରିଥିବା କ୍ଷତିଠାରୁ ଅଧିକ ବାଧୁଛି ଖରାରରେ ଲାଇନ । ସେଥିରେ ପୁଣି ମିଳିଲା ବେଳକୁ ରାଜନୀତି । ସୂଚନାଯୋଗ,ଗତ ୩ ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ ପାଇଁ ଲୋକ ଏତେ ହନ୍ତସନ୍ତ ହେଉଛନ୍ତି ।