ପୁରୀ (ଏଟିଆର ବ୍ୟୁରୋ); ମହାପ୍ରଭୁଙ୍କ ଧାମ ପୁରୀ ଉପରେ ପଡିଛି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ପ୍ରଭାବ । ବାତ୍ୟାକୁ ୬ଦିନ ବିତିଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ପୁରୀର ଅବସ୍ଥା ସୁଧୁରିନଥିବା ଦେଖିବାକୁ ମିଳୁଛି । ମରୁଭୂମି ପାଲଟି ଯାଇଛି ଶ୍ରୀକ୍ଷେତ୍ର । ସବୁବେଳେ ବିଦେଶୀ ପର୍ଯ୍ୟଟକଙ୍କ ଭିଡରେ ପୁରି ରହୁଥିବା ପୁରୀ ଏବେ ଜନଶୂନ୍ୟ । ଜନବହୁଳ ସମୁଦ୍ରକୂଳ ଏବେ ଲାଗୁଛି ଖାଁ ଖାଁ । ବିଦେଶୀ ପର୍ଯ୍ୟଟକମାନେ ବାତ୍ୟା ପରେ ପୁରୀ ଆସିବା ପାଇଁ ଭୟ କରିଯାଇଛନ୍ତି । ତେବେ ପୁରୀ ବେପାରୀମାନେ ଚିନ୍ତାରେ । ଯଦି ପୁରୁଣା ଅବସ୍ଥାକୁ ସହର ନଫେରେ ତେବେ ଦାନା ପାଣିରେ ଅସୁବିଧା ହେବ ।
ପୁରୀର ବହୁ ହୋଟେଲ ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଥିବା ବେଳେ ଲୋକଙ୍କ ଘରେ ଏବେ ସୁଦ୍ଧା ଚୁଲି ଜଳୁନଥିବା ଦେଖିବାକୁ ମିଳୁଛି । ତେବେ ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର କ୍ଷତି ହୋଇଛି ୫ କୋଟି ୧୦ ଲକ୍ଷ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ପ୍ରଶାସକ କହିଛନ୍ତି, କ୍ଷୟକ୍ଷତିର ରିପୋର୍ଟ ଝଜଉଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ।
ପେଟପାଟଣା ପାଇଁ ବେଳାଭୂମିରେ ଦୋକାନ ପକାଇଥିବା ଛୋଟ ଛୋଟ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଗ୍ରୀଷ୍ମ ଋତୁରେ ପୁଣିଥରେ ପର୍ଯ୍ୟଟକ ଓଡିଶା ଫେରିବେ ସେ ଆଶା ମଧ୍ୟ ମଉଳିଯାଇଛି କିନ୍ତୁ ଖୁବଶୀଘ୍ର ପୁଣିଥରେ ଜଗନ୍ନାଥ ଧାମକୁ ପର୍ୟ୍ୟଟକ ମାନେ ଧାଇଁ ଆସିବେ ସେ ଆଶା ମଧ୍ୟ ଛାଡି ନାହାନ୍ତି।ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ଏବେ ସୁଦ୍ଧା କରେଣ୍ଟ ଏବଂ ପାଣି ନପାଇ କଲବଲ ହେଉଛନ୍ତି ଲୋକ । ବାତ୍ୟା ଏଠାରେ ଲ୍ୟାଣ୍ଡଫଲ କରିଥିବାରୁ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ହୋଇଛି । ତେବେ ରାଜ୍ୟ ସରକାର ଅବସ୍ଥା ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।