ନୂଆପଡା (ଏଟିଆର ବ୍ୟୁରୋ); କାନ୍ଧରେ କୁରାଢ଼ୀ ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳା । ତାଙ୍କ ଭୟରେ ଜଙ୍ଗଲକୁ କାଠଚୋର ପଶୁ ନାହାଁନ୍ତି । ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲକୁ ସୁରକ୍ଷା ଦେଉଥିବା ମହିଳାଙ୍କ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଂଶସା କରାଯାଉଛି । କିନ୍ତୁ ସରକାରୀ ସହାୟତା ୟାଙ୍କ ପାଇଁ ସାତ ସପନ ହୋଇ ଯାଇଛି । ନୂଆପଡା ଜିଲ୍ଲା ସିନାପାଲି କାପସୀ ଗାଁର ହୀରାଦେଇ ସ୍ଥାନୀୟ ଡୁଙ୍ଗୁରୀ ଜଙ୍ଗଲକୁ ଦେଉଛନ୍ତି ସୁରକ୍ଷା । ସେ ନିଜ ଅଞ୍ଚଳରେ ଜଙ୍ଗଲ ଜନନୀ ନାମରେ ବେଶ ପରିଚିତ ।
ହୀରା ତାଙ୍କ ସ୍ୱାମୀଙ୍କ ଅନ୍ତେ ଜଙ୍ଗଲ ସୁରକ୍ଷା କର୍ମୀ ଭାବରେ କାମ କରୁଛନ୍ତି । ସ୍ୱାମୀଙ୍କଠାରୁ ଭଲ କାମ କରୁତିବା ତାଙ୍କର ବେଶ ନାଁ ମଧ୍ୟ ରହିଛି । ଦିନ ଏବଂ ରାତିରେ କୁରାଢ଼ୀ ପକାଇ ଜଙ୍ଗଲରେ ବୁଳୁଛନ୍ତି । ତାଙ୍କ ଭୟରେ କାଠ ମାଫିଆ ଜଙ୍ଗଲରେ ପଶିବାକୁ ସାହାସ ମଧ୍ୟ କରୁ ନାହାଁନ୍ତି । ଏତେ ସବୁ କରିବା ପରେ ମଧ୍ୟ ତାଙ୍କ ପାଇଁ ବିଶେଷ ସରକାରୀ ସହାୟତା ମିଳୁନଥିବା ଦେଖିବାକୁ ମିଳୁଛି । ବ୍ଳକ ପକ୍ଷରୁ ତାଙ୍କୁ ମିଳିଥିବା ବିଜୁ ପକ୍କାର କାମ ସରିଯାଇଥିଲେ ସୁଦ୍ଧା ଏବେ ଯାଏଁ ସମ୍ପୂର୍ଣ୍ଣ ଟଙ୍କା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଯୋଜନାରେ ମିଳୁଥିବା ଟଙ୍କାଠାରୁ ବେଶ ଅଧିକ ବ୍ୟୟ କରିଥିଲେ ସୁଦ୍ଧା ଯୋଜନାରେ ଯେତିକି ମିଳିବା କଥା ସେତିକି ମିଳିନି । ତେବେ ସମ୍ପୂର୍ଣ୍ଣ ଟଙ୍କା ପାଇଁ ତାତକ ଭଳି ଚାହିଁ ବସିଛନ୍ତି ହୀରା । ସେପଟେ ହୀରାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ସିନାପାଲି ରେଞ୍ଜର ।