ଭୁବନେଶ୍ୱର (ଏଟିଆର ବ୍ୟୁରୋ); ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସପ୍ତାହେ ଭିତରେ କାଳିଆ ଟଙ୍କା ଆସିବ ବୋଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ଦିନ ପ୍ରତିଶୃତି ଦେଇଥିଲେ । ଏବେ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ । ସମସ୍ତଙ୍କ ଅପେକ୍ଷା କେବେ ଆସିବ ଟଙ୍କା ?
ଯେଉଁ ସବୁ ଚାଷୀଙ୍କ ନାମ କାଳିଆ ଯୋଜନା ତାଲିକାରେ ଆସିଛି ସେମାନେ ବାରମ୍ବାର ଯାଇ ବ୍ୟାଙ୍କରେ ଖାତା ଅପଡେଟ କରୁଥିବା ଦେଖିବାକୁ ମିଳୁଛି । କାଳେ ମେସେଜ ନଆସି ପଇସା ଆସିଗଲା କି ? ଏମିତି ଭାବି ମଧ୍ୟ ବହୁ ଲୋକ ଦିନକୁ ତିନି ଚାରିଥର ଏଟିଏମକୁ ଯାଇ ବାଲାନ୍ସ ୟୁନିକାରି କରୁଛନ୍ତି । ଶପଥ ଗ୍ରହଣ କରିବା ଦିନ କେତେକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ବେଳେ ପରେ ପରେ ଆଉ କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା । ତେବେ ତାଲିକାରେ ଆସିଥିବା ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ ।
ଆଉ ଆସିବନି କାଳିଆ ଟଙ୍କା । ଠକିଦେଲେ କି ନବୀନ । ଏଭଳି ଅନେକ କଥା ମଧ୍ୟ ଗାଁ ଗହଳିରେ କଥା ହେଉଥିବା ଶୁଣିବାକୁ ମିଳୁଛି । ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ସେମାନଙ୍କୁ ଭାଗ୍ୟବାନ ବୋଲି ମଧ୍ୟ କହୁଛନ୍ତି ଲୋକ । କାରଣ ଆମେ ଏକା ସାଙ୍ଗରେ ଫର୍ମ ପକେଇଲେ ତମର କେମିତି ଆସିଲାଣି କିନ୍ତୁ ମୋର ଆସିନି ଏଣୁ ତମେ ଭାଗ୍ୟବାନ ବୋଲି ମଧ୍ୟ ଲୋକଙ୍କ ମଧ୍ୟରେ ଥଟ୍ଟା ମଜା ହେଉଛି । ଆଉ କେତେକ ଲୋକ ଫୋନକୁ ମେସେଜ ଆସିବାମାନେ କାଳିଆ ଟଙ୍କା ଆସିଲା ଭାବି ବାରମ୍ବାର ମେସେଜ ଚେକ କରୁଛନ୍ତି । ତେବେ କାଳିଆ ଟଙ୍କା କେବେ ଆସିବ ତାକୁ ସମସ୍ତଙ୍କ ଅପେକ୍ଷା ।