ଭୁବନେଶ୍ୱର,(ଏଟିଆରବ୍ୟୁରୋ): ସମୟ ରାତି ପାଖାପାଖି ସାଢ଼େ ୮ । ସିଆରପି ଛକରେ ଚାଲିଥିଲା ଟ୍ରାଫିକର ଜବରଦସ୍ତ ଚେକିଂ । ଖୋଦ ଅତିରିକ୍ତ ପୁଲିସ କମିଶନର ବି ସ୍ଥିତି ପରଖୁଥିଲେ । ଠିକ୍ ଏହି ସମୟରେ ଏକ ପ୍ରେମିଯୁଗଳ ଧରାପଡିଲେ । ହେଲମେଟ ନଥିବା ଯୋଗୁ ପୁଲିସ ଫାଇନ କାଟିବାକୁ କହିଲା । ହେଲେ ପାଖରେ ଟଙ୍କାଟେ ନଥିବା କହି ପ୍ରେମିକଜଣଙ୍କ ବହୁ କାକୁତି ମିନତି ହେଲା । ଛାଡିଦିଅ ଛାଡିଦିଅ କହି ନେହୁରା ହେଲା ।
କିନ୍ତୁ ଅତିରିକ୍ତ କମିଶନରଙ୍କ ତାଗିଦ୍ ଯୋଗୁ ପୁଲିସ ବି ନଚ୍ଛୋଡ଼ବନ୍ଧା । ଫାଇନ ଦିଅ ଏଠାରୁ ଯାଅ ବୋଲି କହି ମୁହଁ ବୁଲାଇ ଦେଲା । ନିରାଶ ହୋଇପଡିଥିଲା ପ୍ରେମିକ । ଶେଷରେ ନିସ୍ତାର ପାଇବା ଲାଗି ଗାର୍ଲଫ୍ରେଣ୍ଡକୁ ଟଙ୍କା ମାଗିଥିଲା । ହେଲେ ଗାର୍ଲଫ୍ରେଣ୍ଡ ଟଙ୍କା ଦେବ କ’ଣ ଓଲଟି ଗପ ଶୁଣାଇଥିଲା । ଏଟିଏମରେ ଅଳ୍ପ ଟଙ୍କା ଅଛି, ମୋ ହଷ୍ଟେଲ ବନ୍ଦ ହୋଇଯିବ କହି ଢ଼େର ବାହାନା ମାରିଥିଲା । ଏତିକି ନୁହେଁ ମଝିରେ ମଝିରେ ଆଖି ଛଳଛଳ କରି ଧନ କ’ଣ କରିବା କହି କାନ୍ଦି ପକାଇଲା ପ୍ରେମିକା ।
ଉପାୟଶୂନ୍ୟ ହୋଇ ପଡିଲା ପ୍ରେମିକ । ରାସ୍ତା ମଝିରେ ଗାର୍ଲଫ୍ରେଣ୍ଡକୁ ଏକାକି କେତେ ସମୟ ଆଉ ଛିଡା କରିବ ଭାବି ବେଳକୁ ବେଳ ଅସ୍ଥିର ହେଉଥିଲା ସେ । ବାସ ଏହାପରେ ଫୋନ ପରେ ଫୋନ ବୁଲାଇଥିଲା । ଅନଲାଇନରେ ଟଙ୍କା ପଠାଇବାକୁ କାହିଁ କେତେ ଜଣଙ୍କୁ କହିଲା । କିନ୍ତୁ କିଛି ଲାଭ ହେଲାନି । ଶେଷରେ ରାଗି ଯାଇଥିଲା ପ୍ରେମିକା । ଟଙ୍କା ଯୋଗାଡ କରିପାରୁନ କହି ଶେଷରେ ସେ ବି ନାଲି ଆଖି ଦେଖାଇଥିଲା । ଗୋଟିଏ ପଟେ ପୁଲିସର ନାଲିଆଖି ଆଉ ଏପଟେ ଗାର୍ଲଫ୍ରେଣ୍ଡର ରାଗ, ବୟଫ୍ରେଣ୍ଡକୁ ଅକଳରେ ପକାଇଥିଲା । କ’ଣ କରିବ କିଛି ଚିନ୍ତା କରି ପାରୁନଥାଏ ।
ଠିକ ଏହି ସମୟରେ ଦେଖିବାକୁ ମିଳିଲା ଏକ ଅଜବ ଘଟଣା । ଅଚାନକ୍ ଝିଅଟି ପାଖରେ ପହଞ୍ଚିଥିଲା ଆଉ ଏକ ପୁଅ । ବାସ ସେହି ପୁଅ ସାଙ୍ଗରେ ଝିଅ ବି ପଳାଇ ଯିବାକୁ ବାହାରିଲା । ଏହାଦେଖି ପ୍ରେମିକ ମୁଣ୍ଡ ଖରାପ । ସେ ପୁଅଟି କିଏ ବୋଲି ଜାଣିବାକୁ ଚାହିଁବା ସହ ପ୍ରେମିକାକୁ ଏ କ’ଣ ହେଉଛି ବୋଲି ପଚାରିଲା । ହେଲେ ପ୍ରେମିକା ମୁହେଁ ମୁହେଁ ଏଣୁ ତେଣୁ ବକି ଦେଇ ଅନ୍ୟ ପୁଅ ସହ ପଳାଇଗଲା । ଏସବୁକୁ ଢ଼େର ସମୟ ହେବ ଦେଖୁଥିବା ଉପସ୍ଥିତ ଲୋକେ କହିଥିଲେ କି’ ୟାଙ୍କ ପ୍ରେମ ଭାଙ୍ଗିଦେଲା ଟ୍ରାଫିକ୍ ।