ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଳୟଙ୍କାରୀ ବାତ୍ୟା ଫନି ଉଜାଡି ଦେଇଛି ରାଜଧାନୀର ସୌନ୍ଦର୍ଯ୍ୟ । ସେ ଗଛ ହେଉ ବା ରାସ୍ତା କଡର ବସଷ୍ଟପ । ତେବେ ବାତ୍ୟାକୁ ବିତିଗଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ରାଜଧାନୀର ଅବସ୍ଥାରେ କିଛି ସୁଧାର ଆସିନାହିଁ । ହକି ବିଶ୍ୱକପ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ମୋ ବସ ରହିବା ପାଇଁ ବନାଯାଇଥିବା ମୋ ବସଷ୍ଟାଣ୍ଡ ବାତ୍ୟାରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ତେବେ ରାଜଧାନୀର ଯେତେ ବି ବସଷ୍ଟପ ବନାଯାଇଥିଲା ଏବେ ଗୋଟିଏର ଅବସ୍ଥା ବି ଭଲ ନାହିଁ । ସବୁ ବସଷ୍ଟପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ।
ସବୁ ବସଷ୍ଟପର ଛାତ ଉଡି ଯାଇଛି । ଉପରେ ଦିଆଯାଇଥିବା ଆଜବେଷ୍ଟ ଉଡିଯାଇଛି । ତେବେ କେତେକ ବସଷ୍ଟପରେ ରହିଥିବା ଅଧା ଆଜବେଷ୍ଟକୁ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି କାଢ଼ି ନେଇ ଯାଇଛନ୍ତି । ତେବେ ଖରା ଏବଂ ବର୍ଷାରେ ହଇରାଣ ହେଉଛନ୍ତି ଯାତ୍ରୀ । ନାଁ ବର୍ଷା ସମୟରେ ବସରୁ ଓହ୍ଲାଇଲେ ଟିକେ ବସଷ୍ଟପରେ ରହି ହଉଛି ନାଁ ଖରାରେ ଓହ୍ଲାଇଲେ ଟିକେ ଶାନ୍ତିରେ ତଳେ ବସି ହଉଛି । ଏହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ବାରମ୍ବାର ଅସନ୍ତୋଷ ଜାହିର କରିଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପଡିନାହିଁ ।
ଆଉ ଏକ ଅସୁବିଧା ହେଉଛି ବସଷ୍ଟପରେ ଲାଗିଥିବା ଏଲଇଡି ଲାଇଟ ମଧ୍ୟ ଉଭାନ ହୋଇ ଯାଇଛି । ବାତ୍ୟା ପରଠାରୁ ବସଷ୍ଟପର ଲାଇଟ ଆଉ ଜଳୁନି । ଏମତିକି ବାତ୍ୟା ସମୟରେ କେତେକ ଲୋକ ଏହି ଲାଇଟକୁ ମଧ୍ୟ ନେଇ ପଳାଇଛନ୍ତି । ତେବେ ରାତିରେ ବସଷ୍ଟପ ଅନ୍ଧକାର ହୋଇ ପଡି ରହୁଛି । ତେଣୁ ଟିକେ ଅନ୍ଧାର ହେଲେ ବସିବା ପାଇଁ ଡରୁଛନ୍ତି ଯାତ୍ରୀ । ବିଶେଷ କରି ଝିଅମାନେ ବସଷ୍ଟପରେ ଅନ୍ଧାର ହେଲେ ବସିବା ପାଇଁ ଭୟ କରୁଛନ୍ତି । ଅନ୍ଧାରର ଫାଇଦା ନେଇ ଅସାମାଜିକ ବ୍ୟକ୍ତିମାନେ କିଛି ବି କରିପାରନ୍ତି ।
ସବୁଜ ସୁନ୍ଦର ରାଜଧାନୀର ବସଷ୍ଟପର ଅବସ୍ଥା ଏଭଳି ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । କେବେ ପୁଣିଥରେ ବସଷ୍ଟପ ଗୁଡିକ ତିଆରି ହେବ ତାକୁ ନେଇ ସୃଷ୍ଟି ହୋଇ ପ୍ରଶ୍ନବାଚୀ । କଥାରେ ଅଛି ଗାଁ ପରିମଳ ଧୋବା ତୁଥରୁ । ସେହିପରି ଗୋଟିଏ ସହରର ସୁନ୍ଦର ବସଷ୍ଟାଣ୍ଡରୁ ହିଁ ଜଣା ପଡିଥାଏ । ଏଣୁ ଜନସାଧାରଣ ଆଶା କରୁଛନ୍ତି କି ଯଥା ଶିଘ୍ର ଏହି ସବୁ ବସଷ୍ଟପ ଗୁଡିକ ତିଆରି କରାଯିବ ।