ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲରେ ଚେନ୍ନାଇକୁ ଧୂଳି ଚଟାଇ ଟାଇଟଲ ହାସଲ କରିଛି ମୁମ୍ବାଇ । ଆଇପିଏଲ ଇତିହାସରେ ଚତୁର୍ଥଥର ବିଜୟ ହୋଇ ମୁମ୍ବାଇ ଅଲୋଡା ରେକର୍ଡ କରିଛି । ପୂର୍ବରୁ ଚେନ୍ନାଇ ଏବଂ ମୁମ୍ବାଇ ତିନିଥର ଲେଖାଏଁ ଟ୍ରଫି ହାତେଇଥିଲେ । ରୋହିତ ବାହିନୀ ଚତୁର୍ଥଥର ଟ୍ରଫି ହାତେଇବା ପରେ ପଛରେ ପଡିଯାଇଛି ଚେନ୍ନାଇ । ଫାଇନାଲରେ ମ୍ୟାଚଟି ରୋମାଞ୍ଚକ ହୋଇଥିଲା । ଶେଷ ବଲରେ ନିର୍ଣ୍ଣୟ ହୋଇଥିଲା ମ୍ୟାଚ । ୱାଟସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତେ୍ୱ ମାତ୍ର ୧ରନରେ ପରାସ୍ତ ହୋଇଛି ଧୋନି ବାହିନୀ । ତେବେ ଆଇପିଏଲ ଇତିହାସରେ ମୁମ୍ବାଇର ଏହି କିର୍ତ୍ତିମାନ ପାଇଁ ପ୍ରଂଶସକଙ୍କ ସୁଅ ଛୁଟିବାରେ ଲାଗିଛି ।
ଫାଇନାଲରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୮ୱିକେଟ ହରାଇ ୧୪୯ ରନ କରିଥିଲା । ଦଳ ପକ୍ଷରୁ କିରଣ ପୋଲାର୍ଡ ସର୍ବାଧିକ ୪୧ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଯଦିଓ କେହି ବଡ ସ୍କୋର କରି ନାହାଁନ୍ତି ତେବେ ଫାଇନାଲ ମ୍ୟାଚରେ ପ୍ରେସରରେ ଖେଳୁଥିବା ନଜର ଆସିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୩ ୱିକେଟ ନେଇଥିଲେ । ଏସଏନ ଠାକୁର ଦୁଇଟି ଏବଂ ତାହିର ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।
ମାତ୍ର ୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚେନ୍ନାଇ ଶେଷ ବଲ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା । ତେବେ ଅନ୍ତିମ ଓଭରର ଅନ୍ତିମ ବଲରେ ମାଲିଙ୍ଗାଙ୍କ ଘାତକ ବୋଲିଂ ଚେନ୍ନାଇ ପାଇଁ କାଳ ହୋଇଥିଲା । ଶେଷ ବଲରେ ୨ରନ ଆବଶ୍ୟକ ହେଉଥିବା ବେଳେ ଏସଏନ ଠାକୁରଙ୍କୁ ଏଲବିଡଲ୍ୟୁ କରି ଟାଇଟଲ ହାତେଇଥିଲା ମୁମ୍ବାଇ । ୱାଟସନ ଏକାକି ଦଳକୁ ବିଜୟ ପଥରେ ଅଗ୍ରସର କରାଯାଇଥିଲେ । ସେ ବ୍ୟକ୍ତିଗତ ୮୦ ରନ କରିଥିଲେ । ତେବେ ସେ ରନଆଉଟ ହେବା ଚେନ୍ନାଇ ପାଇଁ କାଳ ହୋଇଥିଲା ।