ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୟଙ୍କର ମହାମାରୀ । ଯେଉଁଥିରେ ଲୋକେ ଡ୍ୟାନ୍ସ କରି କରି ମୃତ୍ୟୁ ବରଣ କରୁଥିଲେ । କଥାଟା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜିଠାରୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଫ୍ରାନ୍ସରେ ଡ୍ୟାନ୍ସ ମହାମାରୀ ଅନେକ ଲୋକଙ୍କ ଜୀବନ ନେଇଥିଲା । ରହସ୍ୟମୟୀ
ଭାବରେ ଡ୍ୟାନ୍ସ କରି କରି ଚାଲି ଯାଉଥିଲା ଲୋକଙ୍କ ଜୀବନ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଲୋକେ ସେପର୍ଯ୍ୟନ୍ତ ଡ୍ୟାନ୍ସ କରୁଥିଲେ ଯେପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନହୋଇଛି ।
୧୫୧୮ ମସିହା ଜୁଲାଇ ୧୪ । ଏହି ସମୟରେ ଫ୍ରାନ୍ସର ଷ୍ଟ୍ରେସବର୍ଗରେ ସବୁକିଛି ସାମାନ୍ୟ ଥିଲା । କିନ୍ତୁ ଅଚାନକ ଫ୍ରା ତ୍ରୋଫେ ନାମକ ଜଣେ ମହିଳା ରାସ୍ତାରେ ଡ୍ୟାନ୍ସ କରିବାକୁ ଲାଗିଲେ । ଯାହାପରେ ଲୋକଙ୍କର ମନୋରଞ୍ଜନ ହେଲା ଏବଂ ସ୍ଥାନୀୟ ଲୋକ ତାଳି ବଜାଇ ଏହି ସମୟକୁ ଖୁବ ଉପଭୋଗ କରିବାକୁ ଲାଗିଲେ । କିନ୍ତୁ ପରେ ଯାହା ଖୁଲାସା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ବାସ୍ତବରେ ମହିଳା ଜଣକ ଛଅ ଦିନ ହେବ ରେଷ୍ଟ ନ ନେଇ ଡ୍ୟାନ୍ସ କରି ଆସୁଥିଲେ । ପ୍ରତି ରାତିରେ କ୍ଲାନ୍ତ ହୋଇ ମହିଳା ଜଣକ ଶୋଇ ଯାଉଥିଲେ । ସକାଳେ ଉଠିବା ମାତ୍ରେ ପୁଣି ଆରମ୍ଭ ହୋଇ ଯାଉଥିଲା ଡ୍ୟାନ୍ସ କରିବା ପ୍ରକ୍ରିୟା । ଗୋଟିଏ ସପ୍ତାହରେ ମହିଳାଙ୍କ ସହିତ ୩୪ ଜଣ ଯୋଗ ଦେଇ ସାରିଥିଲେ ଏବଂ ଗୋଟିଏ ମାସ ମଧ୍ୟରେ ଏହି ଡ୍ୟାନ୍ସ ମଣ୍ଡଳୀରେ ଚାରି ଶହ ଲୋକ ଯୋଗ ଦେଇଥିଲେ । ଯେତେବେଳେ ଡ୍ୟାନ୍ସ ନିଶା ଚରମ ସୀମାରେ ପହଞ୍ଚୁଥିଲା ସେତେବେଳେ ଅତି କମ୍ରେ ୧୫ ଜଣଙ୍କର ହାର୍ଟ ଆଟାକ୍ କିମ୍ବା ଷ୍ଟ୍ରୋକରେ ଜୀବନ ଯାଉଥିଲା । ପରେ ଘଟଣାକୁ ନେଇ ଦ୍ୱନ୍ଦରେ ପଡ଼ିଲା ପ୍ରଶାସନ । ଏହାପରେ ପ୍ରଶାସନ ଘଟଣାକୁ ବୁଝିପାରିଲା ନାହିଁ ସେ ଦୁଇଜଣ ମ୍ୟାଜିସିଆନଙ୍କୁ ଡାକି ଡ୍ୟାନ୍ସ ପାଇଁ ଏକ ବଡ଼ ମଞ୍ଚ ନିର୍ମାଣ କଲେ । କାରଣ ପ୍ରଶାସନ ଭାବୁଥିଲା ଯେ, ଏହାଦ୍ୱାରା ହୁଏତ ଲୋକଙ୍କ ମଧ୍ୟରେ ଥିବା ଏହି ପାଗଳାମି ବନ୍ଦ ହୋଇଯିବ । କିନ୍ତୁ କଥା ପୂରା ଓଲଟିଗଲା । ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଲେ ଏବଂ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଲା । ଘଟଣାଟି ସେତେବେଳ ସାମ୍ନାକୁ ଆସିଥିଲା ଯେତେବେଳେ ଜନଓ୍ୱଲର ନାମକ ଜଣେ ଇତିହାସକାର ଏହି ବିଷୟରେ ଏକ ଓ୍ୱେବସାଇଟରେ ଲେଖିଥିଲେ।
ଜନଓ୍ୱଲର ଙ୍କ ମୁତାବକ ୧୬ ଶତାବ୍ଦୀରେ ଜଣେ କ୍ୟାଥଲିକ ସନ୍ତଙ୍କ ବିଷୟରେ କୁହାଯାଉଥିଲାଯେ, ସେ ଲୋକଙ୍କୁ ଏଭଳି ଅଭିଶାପ
ଦେଉଥିଲା, ଯାହାଦ୍ୱାରା ଡ୍ୟାନ୍ସ ମହାମାରୀରେ ଲୋକଙ୍କ ଜୀବନ ଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୫୧୮ ଉକ୍ତ ଘଟଣା କେଉଁଠି ନା
କେଉଁଠି ବାସ୍ତବ ଏବଂ ଅନ୍ଧ ବିଶ୍ୱାସକୁ ଏକାଠି କରି ଦେଇଥିଲା । ମହାମାରୀ ଲୋକଙ୍କୁ ନିଜ କବଜାକୁ ନେଇ ଯାଉଥିବା ଘଟଣା ଲୋକଙ୍କୁ ଖୁବ ଦ୍ୱନ୍ଦରେ ପକାଉଥିଲା ।
ଏହାକୁ ନେଇ ଆଉ ଏକ ଭିନ୍ନ ଥିଓରୀ ମଧ୍ୟ ରହିଛି । ଯେଉଁଥିରେ କୁହାଯାଇଛି ଏହି ଲୋକମାନେ ଏକ ଡ୍ୟାନ୍ସ ଗ୍ରୁପର ଥିଲେ ।
ଏମାନେ କିଛି ଏରଗୋଟ ନାମକ ଫଙ୍ଗସ୍ ଖାଇ ଦେଇଥିଲେ, ଯାହାର ପ୍ରଭାବରେ ଏଭଳି ଘଟଣା ଘଟୁଥିଲା । ଏହି ଫଙ୍ଗସ୍ ଏଲଏସଡି ନାମକ ବିବାଦୀୟ ଡ୍ରଗ୍ସରେ ମିଳିଥାଏ । ମଡର୍ଣ୍ଣ ମେଡିକାଲ ଟର୍ମସ୍ରେ ଏହାକୁ ସାଇକୋଜେନିକ ରୋଗ କୁହାଯାଏ । ଏହା ଏଭଳି ଏକ ରୋଗ ଯେଉଁଥିରେ ମଣିଷ ସାଇକୋଲୋଜିକଲ କାରଣରୁ ଅଜବ ବ୍ୟବହାର କରିବାକୁ ଲାଗେ । ଅବଶ୍ୟ ଆଜି ମଧ୍ୟ ଏହି ଡ୍ୟାନ୍ସ ମହାମାରୀ ପଛର ବାସ୍ତବ କାରଣ ସାମ୍ନାକୁ ଆସିନାହିଁ । ବିଜ୍ଞାନ ଏବଂ କୌଣସି ଡାକ୍ତର ଏହା ପଛର କାରଣ ଜାଣିପାରି ନାହାନ୍ତି । ତେବେ ଏଭଳି କହିବା ବିଲକୁଲ ଭୁଲ ହେବ ନାହିଁ,ବର୍ତ୍ତମାନ ସମୟରେ କରୋନା ଯେଉଁଭଳି ଏକ ଚିନ୍ତାର କାରଣ ପାଲଟିଛି, ସେହି ସମୟରେ ଡ୍ୟାନ୍ସ ମହାମାରୀ ପାଲଟିଥିଲା ଏକ ମୃତ୍ୟୁର ବିଭିଷିକା ।