ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଠି ଚୋର ଉତ୍ପାତ କରୁଛନ୍ତି । ଲୁଟେରା ଆତଙ୍କ ରଚୁଛନ୍ତି । ଗୁଣ୍ଡା ବଦମାସଙ୍କ କଥା ତ’ ନକହିଲେ ଭଲ । ଏଭଳି ପରିସ୍ଥିତିରେ କର୍ମଚାରୀ ଅଭାବ ଥିବା କହି ମୁଣ୍ଡରୁ ଦୋଷ ଖସାଉଥିବା ଓଡିଶା ପୁଲିସର ଅସଲ ଚିତ୍ର ପଦାକୁ ଆସିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ହାତ କେମ୍ପା ମାରି ଯାଉଥିବା ପୁଲିସ ମାତିଛି ପୋଷ୍ଟର ମାରିବାରେ । ରାସ୍ତାରେ ବୁଲି ବୁଲି ଅଟୋ ପଛରେ ପୋଷ୍ଟର ମାରୁଛି ପୁଲିସ ।
ସବୁଠୁ ବଡ଼ କଥା ହେଉଛି କୌଣସି ସଚେତନତା ପୋଷ୍ଟର ନୁହେଁ ବରଂ ସରକାରଙ୍କ କାଳିଆ ଯୋଜନାକୁ ଜୋରଦାର ପ୍ରଚାର ପ୍ରସାର କରୁଛି ପୁଲିସ । ସିଧା କହିବାକୁ ଗଲେ ନିଜ ଡ୍ୟୁଟି ଅର୍ଥାତ ଲୋକଙ୍କ ସୁରକ୍ଷା ଛାଡି ସରକାରଙ୍କ ଚାମଚାଗିରୀରେ ବ୍ୟସ୍ତ ଓଡିଶା ପୁଲିସ । ହୁଏତ କଥାଟା ଆପଣଙ୍କ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି ସାଲେପୁର ଅଞ୍ଚଳରୁ । ପିସିଆର ଭ୍ୟାନରେ ପୁଲିସ ବାବୁମାନେ ଆସି ଅଟୋ ପଛପଟେ କାଳିଆ’ ଯୋଜନାର ପୋଷ୍ଟର ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏବେ ଆମର ପ୍ରଶ୍ନ ଗୋଟିଏ ପଟେ କର୍ମଚାରୀ ଅଭାବ କହି ସବୁଠି ଖସିଯାଉଥିବା ଓଡିଶା ପୁଲିସର ଏ କେଉଁ ପ୍ରକାର ଡ୍ୟୁଟି? କାହା କଥାରେ ପଡି ବାବୁମାନେ ଅଟୋ ପଛରେ ପୋଷ୍ଟର ମାରୁଥିଲେ? ଜନତାଙ୍କ ସୁରକ୍ଷା ଛାଡି ସରକାରଙ୍କ ଚାମଚାଗୀରି କରିବାକୁ କିଏ ଦେଲା ଅନୁମତି? ଭିଡିଓ ଭାଇରାଲ ହେବାର ୨୪ଘଣ୍ଟା ଉପରେ ହୋଇଥିଲେ ବି କାହିଁକି ଚୁପ ପୁଲିସ ଡିଜି? ନା ଆମେ ଭାବିବାକୁ ବାଧ୍ୟ ହେବୁ ସରକାର ଓ ପୁଲିସର ଏ ହେଉଛି ମହାଗଠବନ୍ଧନ । ସେପଟେ ଏହି ଭିଡିଓ ଉଠାଇଥିବା ଜଣେ ସଚେତନ ନାଗିରିକଙ୍କ ଓଲଟି ମିଥ୍ୟା ମାମଲାରେ ଗିରଫ କରିବାକୁ ଧମକ ଦେଇଛନ୍ତି ପୁଲିସ ବାବୁ । ଯାହାକୁୁ ନେଇ ସାଧାରଣରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଆଶା କରିବୁ ଏହି ଘଟଣାକୁ ଗୁରୁତର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବରିଷ୍ଠ ପୁଲିସ ଅଧିକାରୀ । ନଚେତ ସମୟ ଆସିବ ଲୋକଙ୍କ ପାଇଁ ନୁହେଁ ବରଂ ନେତାମନ୍ତ୍ରୀଙ୍କ ଗୋଲାମଗିରି ପାଇଁ ଓଡିଶା ପୁଲିସ ଥିବା ଚର୍ଚ୍ଚା ହେବ ।