ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ । ଆଉ ମାତ୍ର କେଇ ଘଣ୍ଟା ପରେ ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ନେତାଙ୍କ ଛାତି ଧଡଧଡ ହେଉଛି । ନିର୍ବାଚନ ସମୟରେ ଜନତାଙ୍କ ଉପରେ ଭରଷା କରୁଥିବା ନେତା ଏବେ ପ୍ରଭୁଙ୍କ ଶରଣ ହୋଇଥିବା ଦେଖିବାକୁ ମିଳୁଛି । ମନ୍ଦିର ଯାଇ ମାନସିକ କରି ଭୋଗ ଲଗାଇ ବିଜୟ ପାଇଁ ଠାକୁରଙ୍କୁ ଶହେ ମୁଣ୍ଡିଆ ମାରୁଛନ୍ତି ନେତା ।
୧୪୬ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଫଳାଫଳ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସମୟ ଯେତିକି ପାଖଉଛି ନେତାଙ୍କ ଛାତି ସେତିକି ଥରିବା ଆରମ୍ଭ କରିଛି । ତେବେ କେତେକ ହେବିୱେଟ ବିଜୟ ସୁନିଶ୍ଚିତ ଭାବି ଥିବାରୁ ସେମାନେ ଫଳାଫଳ ଶୁଣିବା ପାଇଁ ସେମାନଙ୍କ କୁଞ୍ଚ ତଳେ ଲାଗୁନଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ପ୍ରଥମଥର ପାଇଁ ଭାଗ୍ୟ ପରୀକ୍ଷା କରୁଥିବା ନେତାଙ୍କ କଥା କିନ୍ତୁ ନକହିବା ଭଲ । ସେମାନଙ୍କ ଛାତିର ସ୍ପନ୍ଦନ ଜୋରରେ ବଢ଼ିବାରେ ଲାଗିଛି । ଏଣୁ ସେମାନେ ଠାକୁରଙ୍କ ଆଶ୍ରୟ ନେବା ଆରମ୍ଭ କରିଦେଲେଣି ।
ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବଦିନ ମୋଦି ଭଗବାନଙ୍କ ଶରଣ ହୋଇଥିଲେ । ଧ୍ୟାନ ମୁଦ୍ରାରେ ଠାକୁରଙ୍କୁ ଡାକୁଥିବା ମଧ୍ୟ ନଜର ଆସିଥିଲା । ତେବେ ଏହାପରେ ବୁଥ ଫେରନ୍ତା ମତ ବା ଏକଜିଟ ପୋଲ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଏଣୁ ଅନେକ ନେତାଙ୍କ ଠାକୁରଙ୍କ ଉପରେ ଭରଷା ଆସିଯାଇଛି । ଯେଉଁ କାରଣରୁ ସେମାନେ ମଧ୍ୟ ଘରେ ସକାଳେ ସଂନ୍ଧ୍ୟାରେ ଧ୍ୟାନ କରିବା ସହିତ ଠାକୁରଙ୍କୁ ଡାକୁଛନ୍ତି । ରାଜ୍ୟରେ ସରକାର ଗଠନକୁ ନେଇ ମଧ୍ୟ ହେବିୱେଟ ନେତାମାନେ ପ୍ରଭୁଙ୍କ ଭରଷାରେ । କାରଣ ସରକାର ଗଠନ ହେଲେ ମନ୍ତ୍ରୀ ପଦଟା ଥୁଆ ।