ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଯାହା ସରକାର କରିପାରିଲେ ନାହିଁ । ତାହା କରି ଦେଖାଇଲେ ଗ୍ରାମବାସୀ । ଅସହାୟ ସହିଦଙ୍କ ପରିବାରକୁ ନୂତନ କୋଠା ଘର ଭେଟି ଦେଲେ । ଗାଁ ଲୋକେ ନିଜ ଆଡୁ ଟଙ୍କା କଲେକ୍ସନ କରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସହିଦ ଯବାନଙ୍କ ପତ୍ନୀଙ୍କୁ ନୂତନ କୋଠା ଘର ଦାନ କରିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । କାନକୁ ଟିକେ ଅଜବ ଶୁଭୁଥିଲେ ବି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୋପାଳରେ । ରିପୋର୍ଟ ଅନୁସାରେ, ପିର ପିପଲିଆ ଗାଁର ହାବିଲଦାର ମୋହନସିଂହ ସୁନେର ତ୍ରିପୁରାରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ସହିଦ ହୋଇଥିଲେ ।
ଆଉ ସେଦିନ ଥିଲା ୧୯୯୨ମସିହା । ମୃତ ମୋହନସିଂହ ଥିଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ । ହେଲେ ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଉପରେ ପଡିଥିଲା ଚଡକ । ବଞ୍ଚିବା ଲାଗି ଆରମ୍ଭ ହୋଇଥିଲା ସଂଘର୍ଷ । ଏହା ଦିନେ କି’ ମାସେ ବା ବର୍ଷକର କଥା ନୁହେଁ ବରଂ ଏହାରି ଭିତରେ ବିତିଯାଇଥିଲା ୨୭ବର୍ଷ । ଆର୍ଥିକ ସ୍ୱଚ୍ଛଳ ନଥିବା ସହିଦଙ୍କ ପତ୍ନୀ ୨ଛୁଆଙ୍କୁ ଧରି ଏକ ମାଟିକାନ୍ଥ ଥିବା ଅଧା ଆଜବେଷ୍ଟେ ଘରେ ରହୁଥିଲେ । ଦୁଃଖର କଥା ଜଣେ ସହିଦଙ୍କ ପରିବାର ଲୋକ ଏତେ କଷ୍ଟରେ ଥିଲେ ବି ରାଜ୍ୟ ସରକାର ନା’କେନ୍ଦ୍ର ସରକାର, କାହାରି ନଜର ପଡିନଥିଲା । ସେପଟେ ମାତ୍ର ୭ଶହ ଟଙ୍କା ଭତ୍ତା ପାଉଥିଲେ ସହିଦଙ୍କ ପତ୍ନୀ ।
ଯେଉଁଥିରେ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହେଉଥିଲା । ଏ କଥା ନୁହେଁ ଯେ, ଏ ସମ୍ପର୍କରେ ସହିଦଙ୍କ ପରିବାର ଲୋକ ହୁଅନ୍ତୁ ବା ଗାଁ ଲୋକେ ପ୍ରଶାସନ କିମ୍ବା ନେତାଙ୍କୁ ଭେଟିନଥିଲେ । ବରଂ ଦୌଡି ଦୌଡି ସମସ୍ତଙ୍କ ଚପଲ ସିନା ଘୋରି ହୋଇଗଲା ହେଲେ କାହାରି ନିଦ ଭାଙ୍ଗିଲା ନାହିଁ । ଶେଷରେ ଗାଁ ଲୋକ ହିଁ ଏକଜୁଟ ହୋଇଥିଲେ । ସମସ୍ତେ ମିଳିମିଶି ଚାନ୍ଦା କରି ଏବେ ୧୧ଲକ୍ଷ ଟଙ୍କାର ଏକ ଘର ରାକ୍ଷୀପୂର୍ଣ୍ଣିମାରେ ଉପହାର ସ୍ୱରୂପ ଦେଇଛନ୍ତି । ଗାଁ ଲୋକଙ୍କ ଏଭଳି ପ୍ରୟାସକୁ ଏବେ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ସବୁଠୁ ବଡ଼ କଥା ହେଉଛି ସହିଦଙ୍କ ପତ୍ନୀଙ୍କୁ ଗୃହ ପ୍ରବେଶ କରାଇବାର ତରିକା ମଧ୍ୟ ଗାଁ ଲୋକେ କିଛି ନିଆରା କରାଇଥିଲେ । ନିଜ ହାତ ପାପୁଲି ସମସ୍ତେ ତଳି ରଖିବା ପରେ ସହିଦଙ୍କ ପତ୍ନୀ ତାହାରି ଉପରେ ଚାଲି ଘରକୁ ପ୍ରବେଶ କରିଥିଲେ ।
ଏଭଳି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଦେଶ ପାଇଁ ଶତ୍ରୁ ସହ ହରଦମ ଲଢ଼େଇ କରୁଛନ୍ତି ଆମ ଯବାନମାନେ । ନିଜ ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି । ଭାରତ ମା ପାଇଁ ହସିହସି ଜୀବନ ଦେଉଥିବା ଯବାନ ଭାଇଙ୍କ ପାଇଁ ସରକାର କିଭଳି ସହାୟତା କରୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।