ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆଜି ଡିସେମ୍ବର ୨୧ରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଉତ୍ତର ଗୋଲାର୍ଦ୍ଧରେ ଶୀତକାଳୀନ ସଲଷ୍ଟାଇସ ଉତ୍ସବ ସହିତ ବୃହସ୍ପତି ଏବଂ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବେ । ବିଶେଷ ଉତ୍ସବକୁ ଚିହ୍ନିତ କରିବାକୁ ,ଗୁଗୁଲ୍ ଏକ ଆନିମେଟେଡ ଡୁଡୁଲ୍ ଅଂଶୀଦାର କରିଛି । ଗୁଗୁଲ୍ ଲୋଗୋରେ ‘O’ ଅକ୍ଷର ସ୍ଥାନରେ ୨ଟି ଗ୍ରହ ପରସ୍ପରକୁ ହାଇ ଫାଇଭ୍ ଦେବାପାଇଁ ନିକଟତର ହେଉଛନ୍ତି ବୋଲି ଡୁଡୁଲ୍ରେ ଦର୍ଶାଯାଇଛି । ଲୋଗୋର ଅନ୍ୟ ଅକ୍ଷର ଗୁଡିକରେ ଶୀତ ଋତୁକୁ ଦର୍ଶାଇବା ପାଇଁ ସେମାନଙ୍କ ଉପରେ ବରଫ ପକାଯାଇଛି ।
ନାସା ମଧ୍ୟ ଏହି ବିଷୟରେ ଏକ ଟ୍ୱିଟ କରି ଲେଖିଛି , “ ଏହି ମୌକା ଜୀବନରେ ଥରେ ଆସେ । ବୃହସ୍ପତି ଏବଂ ଶନି ଏକ ଗ୍ରହ ନୃତ୍ୟ କରୁଛନ୍ତି । ଯାହା ଦ୍ୱାରା ସୂର୍ଯ୍ୟାସ୍ତ ପରେ ଡିସେମ୍ବର ୨୧ରେ ଗ୍ରେଟ କଞ୍ଜୁକେସନ ହେବ” । ଏହି ପୋଷ୍ଟଟିକୁ ୯୦୦୦ ଲାଇକ୍ ମିଳିଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଛି । ଅନେକ ଲୋକ ଏହାକୁ ନେଇ ବହୁତ ସାରା ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ସୁଚନାନୁସାରେ ଏହା “ ମହାନ ସଂଯୋଗ” ଭାବେ ୧୬୨୩ରେ ପାଳନ କରାଯାଇଥିଲା ଏବଂ ରିପୋଟ ଅନୁସାରେ ଏହା ୨୦୮୦ ରେ ପୁନର୍ବାର ଘଟିବ ।