ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ତିତଲି । ଖୁବ ଶୀଘ୍ର ସ୍ଥଳ ଭାଗକୁ ଛୁଇଁବ । ଛୁଇଁବା ମାତ୍ରେ ପରିସ୍ଥିତି ପୂୂରା ବିଗିଡିପାରେ । ପ୍ରବଳ ବର୍ଷା ସାଙ୍ଗକୁ ଜବରଦସ୍ତ ପବନ ବହିବ । ଅସ୍ତବ୍ୟସ୍ଥ ହୋଇପାରେ ଜନଜୀବନ । ଖାସ ଏହି ଦୃଷ୍ଟି କୋଣରୁ ସରକାରଙ୍କ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ସମସ୍ତ ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ସିଧା କହିବାକୁ ଗଲେ ଅଫିସ ଆସିବେ ଅଫିସର । ନଜର ରଖିବେ ପ୍ରତିଟି ଘଟଣା ଉପରେ ।
ଆଜି ମୁଖ୍ୟମନ୍ତ୍ରୀ ବାତ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ମଧ୍ୟ ଛୁଟିରେ ଅଛନ୍ତି ସେମାନେ ଖୁବଶୀଘ୍ର ଆସି କାର୍ଯ୍ୟରେ ଯୋଗଦେବେ । ସେପଟେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସରକାର ନଜର ପକାଇଛନ୍ତି । ୫ଟି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ନେଇ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ଜଣାପଡିଛି । ଏହି ଜିଲ୍ଲା ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡା ।
ସବୁଠୁ ବଡ଼ କଥା ହେଉଛି ଏବେଠୁ ଗଞ୍ଜାମ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରୀୟା ଆରମ୍ଭ ହୋଇ ସାରିଛି । ଖୁବଶୀଘ୍ର ବାକି ସ୍ଥାନଗୁଡିକରେ ଏହି ପ୍ରକ୍ରୀୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହିପରି ଏହି ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୬ଟି ଜିଲ୍ଲାରେ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ସେନାର ସହାୟତା ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।