ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ଜିତିବା ପାଇଁ ବହୁତ ପ୍ରୟାସ କରିଥିଲା ଭାରତ । କିନ୍ତୁ ଶେଷ ବଲରେ ସବୁକିଛି ବଦଳି ଯାଇଥିଲା । ରବିବାରର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ଊନ୍ନବିଂଶ ଓଭର ପର୍ୟ୍ୟନ୍ତ ଭାରତ କବ୍ଜାରେ ମ୍ୟାଚ୍ ଥିଲା। ହେଲେ ଶେଷ ଓଭରରେ ଉମେଶ ଯାଦବଙ୍କ ଲକ୍ଷ୍ୟହୀନ ବୋଲିଂ ପାଇଁ ରୋମାଞ୍ଚକର ବିଜୟରୁ ବଞ୍ଚିତ ହୋଇଥିଲା। କୋହଲି ବାହିନୀ ତା ସହିତ ଦୁଇ ଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ହୋଇ ଯାଇଥିଲା। ସେପଟେ ଅଷ୍ଟ୍ରେଲିଆ ଜବରଦସ୍ତ ବିଜୟରୁ ଭାରତ ଗସ୍ତ ଆରମ୍ଭ କରିଥିଲା।
ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୨୬ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୫୦ ରନ କରିଥିଲେ । ତେବେ ଦଳର କୋହଲି ଏବଂ ଧୋନୀଙ୍କୁ ଛାଡିଦେଲେ ଆଉ କେହି ସେମିତି ଆଖିଦୃଷ୍ଟିଆ ଖେଳ ଖେଳିନଥିଲେ । ଫଳରେ ଦଳ ନିଦ୍ଧାରିତ ଓଭର ମଧ୍ୟରେ ୭ଟି ୱିକେଟ ହରାଇ ୧୨୬ରେ ସିମିତ ରହିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କୁଲଟର ନାଇଲ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ଭ୍ରମଣକାରୀ ଦଳ ଆଗରେ ୧୨୭ ରନର ଲକ୍ଷ ରହିଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ ୫ ରନ୍ ଭିତରେ ମାର୍କସ ଷ୍ଟୋଇନିସ୍ (୧) ଓ ଅଧିନାୟକ ଆରୋନ୍ ଫିଞ୍ଚ (୦)ଙ୍କୁ ହରାଇଥିଲା। ଏହାସତ୍ତ୍ବେ ଛୋଟ ବିଜୟ ଲକ୍ଷ୍ୟ ସହ ଗ୍ଲେନ୍ ମ୍ୟାକ୍ସୱେଲ୍ (୫୬ ରନ୍, ୪୩ ବଲ୍, ୬ ଚୌକା, ୨ ଛକା) ଧୂଆଁଧାର ବ୍ୟାଟିଂ କରୁଥିବାରୁ କଙ୍ଗାରୁ ଦଳ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ତେବେ ପ୍ରଥମେ ସ୍ପିନର ଏବଂ ପରେ ଯଶପ୍ରିତ ବୁମରା ମ୍ୟାଚ ମୋଡ଼ ବଦଳାଇ ଦେଇଥିଲେ। ଊନ୍ନବିଂଶ ଓଭରର ଶେଷ ଦୁଇ ବଲରେ ଦୁଇଟି ୱିକେଟ୍ ନେଇ ବୁମରା ହିଁ ଭାରତ ପଲ୍ଲା ଭାରି କରି ଦେଇଥିଲେ। ଶେଷ ଓଭରରୁ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୧୪ ରନ୍ର ଦରକାର ଥିଲା। ଯାହା କଷ୍ଟକର ପିଚ୍ରେ ଅଷ୍ଟ୍ରେଲିଆ ପାଇଁ ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ଉମେଶ ଅତ୍ୟନ୍ତ ଖରାପ ବୋଲିଂ କରିଥିଲେ। ଦ୍ବିତୀୟ ଓ ପଞ୍ଚମ ବଲ୍ରେ ସେ ଦୁଇଟି ଚୌକା ବ୍ୟୟ କରିଥିଲେ। ଫଳରେ ଶେଷ ବଲ୍ରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨ ରନ୍ ଦରକାର ଥିଲା। ପ୍ୟାଟ୍ କମିନ୍ସ କୌଶଳର ସହ ଏହି ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ।