ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବିଶ୍ୱର ଧନୀ କ୍ରିକେଟ ଲିଗକୁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ଆଉ ମାତ୍ର ୪ଦିନ ପରେ ଆରମ୍ଭ ହେବ ଏହି କ୍ରିକେଟ ମହାକୁମ୍ଭ । ଦେଶରେ ନିର୍ବାଚନୀ ଗରମ ହାୱା ବହୁଥିବା ବେଳେ ଆଇପିଏଲ ମନୋରଞ୍ଜନ ଦେଶବାସୀଙ୍କ ପାଇଁ ଶାନ୍ତି ଆଣିଦେବ ବୋଲି ଆଶା କରାଯାଉଛି । ତେବେ ଚଳିତ ଆଇପିଏଲ ସଂସ୍କରଣ ଉପରେ ସମସ୍ତଙ୍କ ନଜର । ସବୁ ଦଳରେ ଅଭିଜ୍ଞ ଏବଂ ଯୁବ ଖେଳାଳି ରହିଛନ୍ତି । ସମସ୍ତେ ଭଲ ଫର୍ମରେ ରହିଥିବାରୁ କେଉଁ ଦଳ ଏଥର ଟାଇଟଲ ହାତେଇବ ତାକୁ ନେଇ ଆରମ୍ଭ ହୋଇଯାଇଛି କାଉନ ଟାଉନ ।
ଏଥର ଆଇପିଏଲର ଉଦଘାଟନୀ ମ୍ୟାଚରେ ଧୋନୀ ଏବଂ ବିରାଟଙ୍କ ମଧ୍ୟରେ ଭେଟାଭେଟି ହେବ । ଦୁଇ ଜଣ ଯାକ ଭଲ ଫର୍ମରେ ରହିଥିବା ବେଳେ ଉଭୟଙ୍କ ଅଧିନାୟକତ୍ୱ ସମସ୍ତଙ୍କ ମନ ମୋହିଛି । ଏଣୁ ଉଦଘାଟନୀ ମ୍ୟାଚରୁ ହିଁ ଆରମ୍ଭ ହେବ ରୋମାଞ୍ଚ । ପ୍ରଥମ ମ୍ୟାଚରୁ ଧୋନୀ ଏବଂ ବିରାଟଙ୍କ ଟିମ ଭେଟା ଭେଟି ହେବାକୁଥିବାରୁ ସମସ୍ତଙ୍କ ନଜର ଏହି ମ୍ୟାଚ ଉପରେ ରହିବ । ଦ୍ୱିତୀୟ ମ୍ୟାଚରେ କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ । ଗତବର୍ଷ କ୍ୱାଲିଫାଇୟରରେ କୋଲକାତାକୁ ହାଇଦ୍ରାବାଦ ହରାଇଥିଲା । ଏଣୁ କୋଲକାତା ଦଳ ପ୍ରଥମ ମ୍ୟାଚରୁ ବଦଲା ନେବା ପାଇଁ ମଇଦାନକୁ ଓହ୍ଲାଇବ । ଇଡେନରେ ଏହି ମ୍ୟାଚଟି ହେବାକୁ ଥିବାରୁ କୋଲକାତାର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଇଛି ।
ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ପରିବାରକୁ ସାହାର୍ଯ୍ୟ କରି ପ୍ରଥମର ଚର୍ଚ୍ଚାରେ ରହିଥିଲା ଆଇପିଏଲ ପରିବାର । ଚଳିତ ଆଇପିଏଲରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସହୀଦଙ୍କ ପରିବାରକୁ ସହଯୋଗ କରାଯାଇଥିଲା । ପୂର୍ବରୁ ଆଇପିଏଲ ଉଦଘାଟନୀ ଉତ୍ସବ ଧୁମଧାମରେ କରାଯାଉଥିଲା । ବଲିଉଡର ନାମୀଦାମୀ କଳାକାରମାନେ ଏହି ଉତ୍ସବରେ ମନୋରଞ୍ଜନ କରି ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ।