ବାଙ୍ଗାଲୋର (ଏଟିଆର ବ୍ୟୁରୋ); ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦କୁ କଙ୍ଗାରୁ ବାହିନୀ ଜିତି ୧-୦ରେ ଆଗୁଆ ରହିଛି । ଏଣୁ ଦ୍ୱିତୀୟ ମ୍ୟାଚଟି ଜିତି ଟି-୨୦ ମୂଳପୋଛ କରିବା ଲକ୍ଷରେ ମଇଦାନକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ସେପଟେ ପ୍ରଥମ ମ୍ୟାଚ ଲଢ଼େଇ କରି ହାରିଥିବା ଥିବା ଘରୋଇ ଦଳ ମ୍ୟାଚକୁ ଜିତି ସିରିଜ ବରାବର କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ଭାରତ । ଏଣୁ ଦ୍ୱିତୀୟ ଟି-୨୦ଟି କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
ଉଭୟ ଦଳରେ ବହୁ ଯୁବ ଏବଂ ଅଭିଜ୍ଞ ଖେଳାଳି ରହିଛନ୍ତି । ଏଣୁ ପ୍ରଥମ ମ୍ୟାଚରେ ଲୋସ୍କୋରିଂ ହୋଇଥିଲେ ସୁଦ୍ଧା ମ୍ୟାଚଟି କଣ୍ଟେଷ୍ଟ ହୋଇଥିଲା । ଅଷ୍ଟ୍ରେଲିଆ ମାତ୍ର ୧୨୭ ରନର ବିଜୟକୁ ପାର କରିବା ପାଇଁ ଶେଷ ବଲ ପର୍ଯ୍ୟନ୍ତ ଖେଳ ଚାଲିଥିଲା । ମ୍ୟାଚଟି ଭାରତ ହାତରେ ଥିବା ବେଳେ ଶେଷ ଓଭରରେ ଉମେଶ ଯାଦବ ୧୪ ରନ ବ୍ୟୟ କରିଥିଲେ । ଫଳରେ ଦଳ ପରାଜୟ ବରଣ କରିଥିଲା । ଭାରତ ପ୍ରଥମ ଟି-୨୦ ହାରିବା ପରେ କ୍ରିକେଟ ପ୍ରେମୀଙ୍କ ସମାଲୋଚନାର ଶିକାର ହେବାକୁ ପଡିଥିଲା । ତେବେ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ଦ୍ୱିତୀୟ ମ୍ୟାଚଟି ଜିତିବା ପାଇଁ ଜୋରଦାର ପ୍ରୟାସ କରିବ । ଏବଂ ସିରିଜକୁ ବରାବର କରିବ ।
ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଯାଇ କଙ୍ଗାରୁ ବାହିନୀକୁ ଘରୋଇ ମାଟିରେ ହରାଇ ଇତିହାସ ରଚିଥିଲା । ଏଣୁ ଏହାର ପ୍ରତିଶୋଧ ସ୍ୱରୂପ ପ୍ରଥମ ମ୍ୟାଚରୁ ଆରମ୍ଭ ହୋଇଯାଇଛି । ତେବେ ଘରୋଇ ମାଟିରେ ଦବଦବା ଜାହିର କଣିବା ପାଇଁ ପ୍ରୟାସ କରିବ ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚରେ ଖେଳାଳି ପରିବର୍ତ୍ତନ ହୋଇପାରନ୍ତି ବୋଲି ସୂଚନା ମିଳିଛି । ପ୍ରଥମ ମ୍ୟାଚରେ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥିଲେ । ଏଣୁ ଏହି ମ୍ୟାଚରେ ଖେଳାଳି ପରିର୍ତ୍ତନ ହୋଇପାରେ ବୋଲି ଦଳ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।