ସାଉଥମ୍ପଟନ (ଏଟିଆର ବ୍ୟୁରୋ); ପୁଣି ବିଶ୍ୱକପରେ କାମ କଲା ସାକିବଙ୍କ ପାୱାର । ଦକ୍ଷ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କ ଆଗରେ ହାର ମାନିଛି ଆଫଗାନିସ୍ତାନ । ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି।
ବାଂଲାଦେଶ ଆଜି ୨୬୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୨୦୦ ରନ୍ କରି ପାରିଥିଲା। ସକିବ ନିଜ ଚମତ୍କାର ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନକୁ ଫେରିଥିଲେ।
ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ଓ ସାକିବ୍ ୫୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ଆଫଗାନିସ୍ତାନ ୪୭ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ ରନ୍ କରି କ୍ରଗାମତ ସପ୍ତମ ପରାଜୟବରଣ କରିଛି।
ଅଧିନାୟକ ଗୁଲବଦିନ ନୈବ (୪୭) ଓ ରହମତ ସାହ (୨୪) ପ୍ରଥମ ୱିକେଟ୍ରେ ୪୯ ରନ୍ ଯୋଡ଼ିଥିଲେ। ତେବେ ଅନଭିଜ୍ଞତା ପାଇଁ ଉଭୟ ବଡ଼ ପାଳି ଖେଳି ପାରି ନଥିଲେ। ଦଳର ଦୁଇ ତାରକା ଖେଳାଳି ମହମ୍ମଦ ନବି (୦) ଓ ରସିଦ ଖାନ୍ (୨) ନିରାଶ କରିଥିଲେ।