ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟ ଆଜି ହେଉଛି ନିର୍ଣ୍ଣାୟକ ମ୍ୟାଚ । ୫ଟି ଦିନିକିଆ ବିଶିଷ୍ଟ ସିରିଜରେ ୨-୨ରେ ବରାବର ରହିଛି ସିରିଜ । ଏଣୁ ଆଜିର ମ୍ୟାଚଟି ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି । କଙ୍ଗାରୁ ବାହିନୀ ଆଜି ପ୍ରଥମେ ବ୍ୟାଟିଂ କରି ଭାରତକୁ ବଡ ସ୍କୋରର ବିଜୟ ଲକ୍ଷ୍ୟ ଦେବ! ଭ୍ରମଣକାରୀ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ରହିଛନ୍ତି । ଦଳର ଖେଳାଳିମାନେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଏଣୁ ଶେଷ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ସେପଟେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ମାତ ଦେବା ପାଇଁ ବଳ ପ୍ରୟୋଗ କରିବ ଭାରତ ।
୫ଟି ଦିନିକିଆ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଦୁଇଟି ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଶେଷ ଦୁଇଟିରେ ଭାରତକୁ ଧୂଳି ଚଟାଇଥିଲା । ପ୍ରଥମ ଚାରିଟି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡାଟକ୍କର ହୋଇଥିଲା । ବିଶ୍ୱକପ ପୂର୍ବରୁ ଏହା ଶେଷ ଦିନିକିଆ ସିରିଜ ହୋଇଥିବାରୁ ଉଭୟ ଦେଶ ମ୍ୟାଚ ବିଜୟ ଆଶାରେ ରହିବେ । ଆଜିର ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଗତ ମ୍ୟାଚରେ ଖେଳିଥିବା ଚହଲଙ୍କ ସ୍ଥାନରେ ପୁଣିଥରେ ଦଳକୁ ଫେରିଛନ୍ତି ଜାଡେଜା । ଦୁଇ ଦଳରେ ଭଲ ବ୍ୟାଟ୍ସମ୍ୟାନ ଏବଂ ଅଲରାଉଣ୍ଡର ରହିଛନ୍ତିି । ଚତୁର୍ଥ ଦିନିକିଆରେ ଭାରତ ବିଶାଳ ସ୍କୋର କରିଥିଲେ ସୁଦ୍ଧା ଶେଷ ସମୟରେ ଖରାପ ବୋଲିଂ ପାଇଁ ପରାଜୟ ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇଥିଲା । ତେବେ ଆଜିର କର ମର ମ୍ୟାଚରେ ଭୁଲ ସୁଧାରି ମଇଦାନକୁ ଓହ୍ଲାଇବ ଦଳ ।