ବ୍ରିଷ୍ଟଲ (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିଆ ବୋଲିଂ ଆଗରେ ହାର ମାନିଛି ପାକିସ୍ତାନ । ବିଶ୍ୱକପରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୪୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଶତକୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ଭେଟେରିଆନ ବ୍ୟାଟ୍ସମ୍ୟାନ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅଷ୍ଟ୍ରେଲିଆର ୩୦୭ ରନକୁ ପିଛା କରିବାକୁ ଯାଇ ପାକିସ୍ତାନ ୨୬୬ରେ ଆଣ୍ଠେଇଥିଲା । ଏହି ମ୍ୟାଚ ବିଜୟ ପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ।
ଗତକାଲି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୩୦୭ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଦୁଇ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଏବଂ ଅଧିନାୟକ ଫିଞ୍ଚ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୱାର୍ଣ୍ଣର ୧୦୭ ରନ କରିଥିବା ବେଳେ ଫିଞ୍ଚ ୮୨ ରନ କରିଥିଲେ । ଓପନିଂ ଯୋଡି ଖସିବା ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ । ପାକିସ୍ତାନୀ ଦୃତ ବୋଲର ମହମ୍ମଦ ଆମିର ୫ଟି ୱିକେଟ ଅକ୍ତିଆର କରିଥିଲେ ।
୩୦୮ ରନର ବିଶାଳ ସ୍କୋରକୁ ପିଛା କରିବା ପାଇଁ ଯାଇ ପାକିସ୍ତାନ ୨୬୬ରେ ଅଟକିଥିଲା । ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଦଳ ପକ୍ଷରୁ କେବଳ ଇମାମ ଉଲ ହକ ୫୩ ରନର ପାଳି ଖେଳିଥିଲେ । ବାକି କୌଣସି ଖେଳାଳି ଅର୍ଦ୍ଧଶତକ ଅର୍ଜନ କରି ନାହାଁନ୍ତି । ପାକିସ୍ତାନ ୪ଟି ମ୍ୟାଚରୁ ଗୋଟିଏ ବିଜୟ ହୋଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।