ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବିଶ୍ୱକପ ସେମିଫାଇନାଲରେ ଭାରତ ନୈରାଶ୍ୟଜନକ ଭାବରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ବିରାଟ ବାହିନୀ ହାରିବା ପରେ ଟିମ ମ୍ୟାନେଜମେଣ୍ଟ ଏବଂ କୋଚଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ କ୍ରିକେଟ ପ୍ରେମୀ । ତେବେ ଟିମ ପରିଚାଳନାରେ କିଛି ପରିବର୍ତ୍ତନ ହେବ ବୋଲି ବିସିସିଆଇ ନୋଟିସ ଜାରି କରିଛି । ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଟିମ ପାଇଁ ମୁଖ୍ୟ କୋଚ, ବୋଲିଂ କୋଚ, ବ୍ୟାଟିଂ କୋଚ, ଫିଲଡିଂ କୋଚ,ଫିଜିଓ ଓ ଷ୍ଟ୍ରେଙ୍ଗଥ ଏଣ୍ଡ କଣ୍ଡସନିଂ କୋଚ ଓ ମ୍ୟାନେଜରଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି । ଆସନ୍ତା ଜୁଲାଇ ୩୦ ସଂଧ୍ୟା ୫ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଏବେ ଯେଉଁମାନେ କୋଚ ଏବଂ ଅନ୍ୟ ଦାୟିତ୍ୱରେ ସେମାନେ ପୁଣିଥରେ ଆବେଦନ କରିପାରିବେ । ତେବେ ଏବେ ଯେଉଁମାନେ ପଦବୀରେ ଅଛନ୍ତି ସେମାନେ ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ରହିବେ । ଏମାନଙ୍କୁ ମଧ୍ୟ ଭାରତୀୟ ଦଳର ଆଗାମୀ େଓ୍ଵଷ୍ଟ ଇଣ୍ଡିଜ ଗସ୍ତ ପାଇଁ ୪୫ ଦିନିଆ ସଂପ୍ରସାରିତ କାର୍ୟ୍ୟକାଳ ଦିଆଯାଇଛି । ଭାରତୀୟ ଦଳ ଆସନ୍ତା ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ପର୍ୟ୍ୟନ୍ତ େଓ୍ଵଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏବେ ଭାରତୀୟ ଦଳର ମୁଖ୍ୟ କୋଚ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର. ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ।