ରାଞ୍ଚି (ଏଟିଆର ବ୍ୟୁରୋ); ଶେଷ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳକୁ ଫେରିଛନ୍ତି ଦଳର ଭରଷାଯୋଗ୍ୟ ବୋଲର ଭୁବନେଶ୍ୱର କୁମାର । ଆଜିର ମ୍ୟାଚରେ ସେ ଖେଳିବାର ଅଧିକାଂଶ ସମ୍ଭାବନା ରହିଛି । ଯଦି ଭୁବନେଶ୍ୱର ଖେଳିବେ ତେବେ ବୁମରା ଏବଂ ସାମିଙ୍କ ମଧ୍ୟରୁ ଦଳକୁ ବସିବାକୁ ପଡିବ । ତେବେ ଦଳ କାହା ଉପରେ ବିଶ୍ୱାସ କରି ପଡିଆକୁ ଓହ୍ଲାଇବ ତା ଉପରେ ସମସ୍ତଙ୍କ ନଜର । ପ୍ରଥମ ଦୁଇ ଦିନିକିଆରେ ସାମି ଏବଂ ବୁମରା ଉଭୟ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଏଣୁ ଦଳ କାହାକୁ ବସାଇବ ତାକୁ ନେଇ ଚିନ୍ତାରେ ।
ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କ ନିଜ ସହରରେ ଶେଷ ଦିନିକିଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଆଜିର ମ୍ୟାଚରେ ନିଜ ମାଟିର ଖେଳାଳିଙ୍କ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ଇଂଲଣ୍ଡ ବିଶ୍ୱକପ ପରେ ଧୋନି ଆନ୍ତର୍ଜାତିକ ମ୍ୟାଚରୁ ଅବସର ନେଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଛି । ସେପଟେ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ସହ ଶେଷ ସିରିଜ ଖେଳୁଛି ଭାରତ । ଏହା ପରେ ହେବାକୁ ଥିବା ବାକି ଦୁଇଟି ମ୍ୟାଚ ଅଲଗା ଷ୍ଟାଡିୟମରେ ହେବ । ଏଣୁ ଧୋନି ଆନ୍ତର୍ଜାତିକ କ୍ରିକେଟ ଜୀବନର ଶେଷ ଦିନିକିଆ ନିଜ ସହରରେ ଖେଳିବେ । ଏହି ମ୍ୟାଚରେ ଛକା ଚୌକା ସହିତ ଧୋନି ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଦର୍ଶକ ।
ପ୍ରଥମ ଦିନିକିଆରେ ଧୋନି ଭଲ ପ୍ରଦର୍ଶନ କରିଥିଲା ବେଳେ ଦ୍ୱିତୀୟ ଦିନିକିଆରେ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜି ନିଜ ମାଟିରେ ଖେଳୁଥିବାରୁ ଧୋନି ନିଶ୍ଚିନ୍ତ ଭାବରେ ଭଲ ପ୍ରଦର୍ଶନ କରିବେ ଏବଂ ଦଳକୁ ବିଜୟ କରି ସିରିଜ ଦେବା ପାଇଁ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଆଜିର ମ୍ୟାଚଟି ଭାରତ ଯଦି ଜିତିଯାଏ ତେବେ ସିରିଜ ସରିବା ପୂର୍ବରୁ ସିରିଜ ହାତେଇବ ଭାରତ । ସେପଟେ ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ କଙ୍ଗାରୁ ବାହିନୀ । ଏଣୁ ଆଜିର ମ୍ୟାଚଟି ସଂଘର୍ଷପୂଣ୍ଣ ହେବ ବୋଲି ଆଶା କରାଯାଇଛି ।