ଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲ୍ରେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ପ୍ରଥମ ମୁକାବିଲାରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ମଙ୍ଗଳବାର ନିଜ ଦ୍ବିତୀୟ ଲଢ଼େଇରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀ ୧୪୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଚେନ୍ନାଇ ୧୯.୪ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା।
୧୪୮ ରନ୍ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ମାତ୍ର ୨୧ ରନ୍ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ (୫)ଙ୍କୁ ହରାଇଥିଲା। ହେଲେ ସେନ୍ ୱାଟସନଙ୍କ ଦ୍ରୁତ ୪୪ (୨୬ ବଲ୍, ୪ ଚୌକା, ୩ ଛକା) ଓ ସୁରେଶ ରାଇନାଙ୍କ ୩୦ (୧୬ ବଲ୍, ୪ ଚୌକା, ୧ ଛକା) ରନ୍ ବଳରେ ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲା। ଏହା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୨ଞ୍ଚ ରନ୍, ୩୪ ବଲ୍, ୨ ଚୌକା, ୧ ଛକା) ଓ କେଦାର ଯାଦବ (୨୭ ରନ୍, ୩୩ ବଲ୍, ୨ ଚୌକା)ଙ୍କ ୪୮ ରନ୍ର ଭାଗୀଦାରି ବଳରେ ସହଜ ବିଜୟ ହାସଲ କରିଥିଲା। କାଗିସୋ ରବାଦାଙ୍କୁ ଚୌକା ମାରି ଡ୍ବେନ୍ ବ୍ରାଭୋ ଚେନ୍ନାଇର ଲଗାତାର ଦ୍ବିତୀୟ ବିଜୟରେ ମୁଣ୍ଡି ମାରିଥିଲେ। ସେଥିପାଇଁ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୫୧ ରନ୍, ୪୭ ବଲ୍, ୭ ଚୌକା)ଙ୍କ ଲଢ଼ୁଆ ଅର୍ଧଶତକ ବେକାର ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଚଳିତ ଆଇପିଏଲରେ ପ୍ରଥମ ପରାଜୟ ବରଣ କରିଥିଲା। ୱାଟସନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।