ଚେନ୍ନାଇ (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ପଏଣ୍ଟ ଟେବୁଲର ଏକ ନମ୍ବର ଏବଂ ଦୁଇ ନମ୍ବର ସ୍ଥାନରେ ରହିଥିବା ଦଳ ମଧ୍ୟରେ ହେବ ମହାମୁକାବିଲା । ଚେନ୍ନାଇ ଏବଂ କୋଲକାତା ଉଭୟ ଟିମ ଭଲ ଫର୍ମରେ ରହିଥିବାରୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର । ଉଭୟ ଦଳ ୫ଟି ଲେଖାଏଁ ମ୍ୟାଚ ଖେଳି ୪ଟି ବିଜୟ ହୋଇଛନ୍ତି । ତେବେ କୋଲକାତାର ନେଟରନରେଟ ଚେନ୍ନାଇଠାରୁ ଭଲ ଥିବାରୁ ଟପରେ ରହିଛି ଦଳ । ତେବେ ଆଜି ଯେଉଁ ଦଳ ବିଜୟ ହେବ ସେ ଟପରେ ରହିବ । ଏଣୁ ଉଭୟ ଦଳ କର ମର ମ୍ୟାଚ ଭଳି ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଚେନ୍ନାଇ ଘରୋଇ ପରିବେଶରେ ମ୍ୟାଚ ଖେଳିବା ପାଇଁ ଯାଉଥିବାରୁ ଦଳର ପଲ୍ଲା ଭାରି ରହିବ । ଅପରପକ୍ଷରେ କୋଲକାତାର ରସେଲଙ୍କ ବ୍ୟାଟ ଥରେ ଚମକିଲେ କେହି ବି ଅଟକାଇ ପାରିବେ ନାହିଁ ବୋଲି ଆଶା ରଖିଛନ୍ତି କୋଲକାତା ପ୍ରଂଶସକ । କାରଣ ପୂର୍ବ ୫ଟି ମ୍ୟାଚରେ ସମସ୍ତେ ଏହାର ଝଲକ ଦେଖିଛନ୍ତି । ବାଙ୍ଗାଲୋର ବିପକ୍ଷରେ କୋଲକାତା ନିଶ୍ଚିନ୍ତ ହାରିବା ମ୍ୟାଚକୁ ହାତରୁ ଛଡାଇ ଆଣିଥିଲେ ରସେଲ । ଛକା ପରେ ଛକା ମାରି ଦର୍ଶକଙ୍କ ପଇସା ଉଠାଇ ଦେଇଥିଲେ ।
ଧୋନୀ ବାହିନୀରେ ଅଲରାଉଣ୍ଡର ବ୍ରାଭୋ ମଧ୍ୟ ଆଜିର ମ୍ୟାଚରେ ନଜରରେ ରହିବେ । ସେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଡେଥ ଓଭର ସ୍ପେଷାଲିଷ୍ଟ ଭାବରେ ବେଶ ପରିଚିତ ହୋଇଥିବାରୁ ରସେଲ ସମୟରେ ବ୍ରାଭୋଙ୍କୁ ଅସ୍ତ୍ର କରିପାରନ୍ତି ଧୋନୀ । ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂହ ଚଳିତ ବର୍ଷ ଆରମ୍ଭରୁ ଭଲ ସ୍ପେଲରେ ବୋଲିଂ ମଧ୍ୟ ଜାରି ରଖିଛନ୍ତି । କୋଲକାତା ଦଳରେ ମଧ୍ୟ ଉଭୟ ଅଭିଜ୍ଞ ଏବଂ ଯୁବ ଖେଳାଳି ଥିବାରୁ ମ୍ୟାଚ କଣ୍ଟେଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।