ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଲଢ଼େଇ କରି ହାରିଲା କୋଲକାତା । ଆଇପିଏଲ୍ର ଦ୍ବାଦଶ ସଂସ୍କରଣରେ ଶନିବାର ପ୍ରଥମ ସୁପର୍ ଓଭର ରୋମାଞ୍ଚ ଦେଖିବାକୁ ମିଳିଥିଲା। ଉଭୟ ଦିଲ୍ଲୀ ଏବଂ କୋଲକାତା ୧୮୫ ରନ୍ କରି ମ୍ୟାଚ୍ ଟାଇ ରଖିବାରୁ ସୁପର୍ ଓଭର ଖେଳାଯାଇଥିଲା। ପ୍ରସିଦ୍ଧ କୃଷ୍ଣଙ୍କ ଓଭରରୁ ଦିଲ୍ଲୀ ୧୦ ରନ୍ (୧, ୪, ଆଉଟ, ୨, ୨, ୧) କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦାଙ୍କ ଓଭରରୁ କେକେଆର୍ (୪, ୦, ଆଉଟ୍, ୧, ୧, ୧) ମାତ୍ର ୭ ଆଦାୟ କରି ୩ ରନ୍ରେ ହାରିଯାଇଥିଲା।
ଦିଲ୍ଲୀ ନିଜର ତୃତୀୟ ମ୍ୟାଚ୍ ଦ୍ବିତୀୟ ବିଜୟ ହାସଲ କରିଥିବାବେଳେ କେକେଆର୍ ପ୍ରଥମ ପରାଜୟ ବରଣ କରିଛି। ପୃଥ୍ବୀ ସ’ (୯୯, ୫୫ ବଲ) ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ବିଜୟରୁ ବଞ୍ଚିତ ରହିନଥିଲା। ଶନିବାରର ଦ୍ବିତୀୟ ମ୍ୟାଚ୍ରେ ଚମତ୍କାର ପ୍ରତ୍ୟାବର୍ତନ କରିଥିବା କେକେଆର୍ ପାଇଁ ଅଧିନାୟକ ଦୀନେଶ କାର୍ତିକ ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଲଢ଼ୁଆ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଶତକୀୟ ଭାଗୀଦାରି (୯୫ ରନ୍, ୪୮ ବଲ)ରୁ ବଞ୍ଚିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର: କୋଲ୍କାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୮୫/୮ (ଆନ୍ଦ୍ରେ ରସେଲ-୬୨, ଦୀନେଶ କାର୍ତିକ-୫୦, କ୍ରିସ୍ ଲିନ୍-୨୦, ହର୍ଷଲ ପଟେଲ-୨/୪୦, ଲାମିଚାନ୍-୧/୨୯, କ୍ରିସ୍ ମୋରିସ୍-୧/୩୫, ଅମିତ୍ ମିଶ୍ରା-୧/୩୬, କାଗିସୋ ରବାଦା-୧/୪୧)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୫/୩ (ପୃଥ୍ବୀ ସ’-୯୯, ଶ୍ରେୟସ ଆୟର-୪୩, , କୁଲଦୀପ ଯାଦବ-୨/୪୧, ଆନ୍ଦ୍ରେ ରସେଲ-୧/୨୮, ପୀୟୂଷ ଚାୱଲା-୧/୩୬, ଲୋକି ଫର୍ଗୁସନ୍-୧/୩୮)।