ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଦୁଇ କିମ୍ବଦନ୍ତୀ କ୍ରିକେଟର ପଣ୍ଟିଂ ଏବଂ ଗାଙ୍ଗୁଲିଙ୍କୁ ପ୍ରଂଶସା କରିଛନ୍ତି । ଦୁଇ ପୂର୍ବତନ ଖେଳାଳିଙ୍କ ଠାରୁ ବହୁତ କିଛି ଶିଖିଛି । ବିଶ୍ୱକପରେ ସବୁ ପ୍ରୟୋଗ କରିବି । ଏଭଳି କହି ଚର୍ଚ୍ଚାରେ ରହିଛି ଶିଖର ଧାୱନ । ଚଳିତ ଆଇପିଏଲରେ ଧାୱନ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଛନ୍ତି । ପଣ୍ଟିଂ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଗାଙ୍ଗୁଲି ଉପଦେଷ୍ଟା ରହିଛନ୍ତି । ତେବେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କ ପାଖରୁ ଯେଉଁ ଜ୍ଞାନ ଆହାରଣ କରିଛନ୍ତି ତାକୁ ବିଶ୍ୱକପରେ ଉପଯୋଗ କରିବି ବୋଲି କହିଛନ୍ତି ଗବର । ଗୁରୁବାର ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଧାୱନ ।
ଚଳିତ ବର୍ଷ ଆଇପିଏଲ ଆୀରମ୍ଭରୁ ଧାୱନ ଏତେ ଭଲ ପ୍ରଦର୍ଶନ କରିନଥିଲେ । କିନ୍ତୁ ଏବେ ଲଗାତାର ଭଲ ଖେଳି ଅରେଞ୍ଜ କ୍ୟାପ ଲିଷ୍ଟରେ ମଧ୍ୟ ରହିଛନ୍ତି । ଗାଙ୍ଗୁଲି ଭାରତୀୟ ଦଳର ଜଣେ ଅଭିଜ୍ଞ ଅଧିନାୟକ ଥିବା ବେଳେ ପଣ୍ଟି ଅଷ୍ଟ୍ରେଲିଆର ଅଧିନାୟକ ହୋଇ ଦଳକୁ ବିଶ୍ୱକପ ଭେଟି ଦେଇଛନ୍ତି । ଉଭୟ ଦକ୍ଷ ଏବଂ ଅଭିଜ୍ଞ ଏଣୁ ଏମାନଙ୍କ ପାଖରୁ କିଛି ଶିଖିବାକୁ ପାଇଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି ଧାୱନ ।
ଏହି ସାକ୍ଷାତକାରରେ ଧାୱନ ଭାରତୀୟ ଦଳର ବ୍ୟାଟିଂ ଲାଇନ ବିଷୟରେ ମଧ୍ୟ ନିଜର ମତ ଦେଇଥିଲେ । ସେ କହିଛନ୍ତି କି ରୋହିତଙ୍କ ସହିତ ଖେଳିବାକୁ ତାଙ୍କୁ ବହୁତ ଭଲ ଲାଗେ । ତେବେ ଦଳର କୋଚ ଏବଂ ଅଧିନାୟକଙ୍କ ନିଷ୍ପତି ଉପରେ ସବୁ କିଛି ନିର୍ଭର । ଅପରପକ୍ଷରେ ଭାରତୀୟ ବିଶ୍ୱକପ ଦଳରେ ଚତୁର୍ଥ ସ୍ଥାନରେ କିଏ ଖେଳିବ ତାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ ସେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଆମ ପାଖରେ ରାହୁଲ ଏବଂ ବିଜୟ ଶଙ୍କରଭ୍କ ଭଳି ଯୁବ ଖେଳାଳି ଅଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଆମକୁ ଜଣକୁ ବାଛିବା ପାଇଁ ପଡିବ ।