ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ ଦଳର ଅଧିନାୟକ ଧୋନୀ ପ୍ରଥମରୁ ଭଲ ଫର୍ମରେ ରହିଛନ୍ତି । ଦଳ ମଧ୍ୟ ଭଲ ପରିସ୍ଥିତିରେ ରହି ପଏଣ୍ଟ ଟେବୁଲ ଟପରେ ରହିଛି । କିନ୍ତୁ ଶେଷ ସମୟରେ ଦଳ ପାଇଁ ଅଡୁଆ ହୋଇପାରେ । କାରଣ ଧୋନୀ ଶେଷ ସମୟରେ ଖେଳି ନପାରନ୍ତି । ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ବିସିସିଆଇ ତାଙ୍କୁ ବିଶ୍ରାମ ଦେଇପାରେ । ଆଗକୁ ବିଶ୍ୱକପ ଥିବାରୁ ଇଞ୍ଜୁଡି ହେବା ପୂର୍ବରୁ ବିଶ୍ରାମ ଆବଶ୍ୟକ ହେଉଛି । ବହୁବାର ପଡିଆରେ ଧୋନୀ ମଧ୍ୟ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳୁଛି । ତେବେ ଧୋନୀଙ୍କ ଅନୁପସ୍ଥିତି ଚେନ୍ନାଇ ପାଇଁ ବହୁତ ବଡ କ୍ଷତି ହୋଇପାରେ ।
ହାଇଦ୍ରାବାଦ ବିପକ୍ଷରେ ଧୋନୀ ବିଶ୍ରାମ ନେବା ପରେ ଚେନ୍ନାଇର ଅବସ୍ଥା କଣ ହୋଇଥିଲା ତାହା ସମସ୍ତଙ୍କୁ ଜଣା ଅଛି । ତେବେ ଧୋନୀ ଗଣମାଧ୍ୟମକୁ ମଧ୍ୟ ଜଣାଇଛନ୍ତି କି ଯଦି ଆବଶ୍ୟକ ହୁଏ ତେବେ ସେ ବିଶ୍ରାମ ନେବେ । ଆଇପିଏଲଠାରୁ ବିଶ୍ୱକପ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଧୋନୀଙ୍କ ଉପସ୍ଥିତି ଭାରତ ପାଇଁ ଉପଯୋଗୀ ହେବ । ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାକ୍ଷାତକାରରେ କହିଛନ୍ତି କି ୱିକେଟ ପଛରେ ଧୋନୀଙ୍କ ଉପସ୍ଥିତି ବିଶ୍ୱକପରେ ଭାରତ ପାଇଁ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ବହନ କରିବ । ଧୋନୀ ପୂର୍ବରୁ ଭାରତକୁ ଦୁଇଟି ବିଶ୍ୱକପ ଭେଟି ଦେଇଛନ୍ତି ।
ଚଳିତ ଆଇପିଏଲର ଶେଷ ସମୟରେ ବହୁ ଷ୍ଟାର ଖେଳାଳି ନଖେଳିପାରନ୍ତି । କାରଣ କ୍ରିକେଟ ମହାକୁମ୍ଭ ପାଖେଇ ଆସୁଥିବାରୁ ଦଳରେ ସାମିଲ ହେବେ ଖେଳାଳି । କେକେଆରର ଦମଦାର ଖେଳାଳି ରସେଲ ମଧ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଏଣୁ ଇଣ୍ଡିଜ ବୋର୍ଡ ତାଙ୍କୁ ସ୍ୱଦେଶ ନେଇପାରେ । ସବୁଠାରୁ ଅଧିକ ସ୍କୋର କରିଥିବା ୱାର୍ଣ୍ଣର ମଧ୍ୟ ସ୍ୱଦେଶ ଫେରି ପାରନ୍ତି । ତେବେ ବିଦେଶୀ ଖେଳାଳି ଘର ବାହୁଡା କରିବା ପରେ ଦେଶୀ ଖେଳାଳିଙ୍କ ଦମ ଉପରେ ସମସ୍ତଙ୍କ ନଜର ।