ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ବିଶ୍ୱକପର ୨୪ତମ ମ୍ୟାଚରେ ଆଫଗାନିସ୍ତାନକୁ ଭଟେିବା ପାଇଁ ଯାଉଛି ଆୟୋଜକ ଇଂଲଣ୍ଡ । ବିଶ୍ୱକପରେ ପ୍ରଥମ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବ ଆଫଗାନିସ୍ତାନ । ଅପରପକ୍ଷରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବିଜୟୀ ହୋଇ ପୁଣିଥରେ ଏକ ନମ୍ବର ସ୍ଥାନକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ । ଘରୋଇ ପରିବେଶ ସାଙ୍ଗକୁ ଦୁର୍ବଳ ଟିମର ଫାଇଦା ଉଠାଇବ ଇଂଲଣ୍ଡ । ତେବେ ଆଫଗାନିସ୍ତାନକୁ ମଧ୍ୟ ଏତେ ଦୁର୍ବଳ ଭାବିବା ମହଙ୍ଗା ପଡିପାରେ । ନୂଆ କରି ବିଶ୍ୱକପ ଖେଳୁଥିବା ଆଫଗାନିସ୍ତାନ ମଧ୍ୟ ଦମଦାର ଖେଳ ଖେଳୁଛି । ସବୁ ମ୍ୟାଚ କଣ୍ଟେଷ୍ଟ କରି ହାରୁଛି ।
ଇଂଲଣ୍ଡ ଚଳିତ ବିଶ୍ୱକପରେ ୪ଟି ମ୍ୟାଚ ଖେଳି ୩ଟି ବିଜୟୀ ହୋଇଛି । ଦଳ ପାକିସ୍ତାନଠାରୁ ଅଳ୍ପ ରନ ବ୍ୟବଧାନରେ ହାରିଛି । ବାକି ସବୁ ମ୍ୟାଚରେ ଦଳ ଦବଦବା ଦେଖାଇଛି । ଏଣୁ ଆଜିର ମ୍ୟାଚଟି ମଧ୍ୟ ଘରୋଇ ଦଳ ସପକ୍ଷରେ ଯାଇପାରେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଦମଦାର ଫର୍ମରେ ଅଛନ୍ତି । ପ୍ରତ୍ୟେକ ମ୍ୟାଚର ଦଳର ଦୁଇରୁ ତିନି ଜଣ ଅର୍ଦ୍ଧ ଶତକ ହାସଲ କରୁଛନ୍ତି । ଏଣୁ ଆଫଗାନିସ୍ତାନ ଏମାନଙ୍କୁ ପ୍ରଥମରୁ ଖସାଇ ଇଂଲଣ୍ଡ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରିବ । ନବି,ଅଧିନାୟକ ନଏବ ଏବଂ ରସିଦ ଖାନଙ୍କ ଉପରେ ଆଫଗାନିସ୍ତାନ ଅଧିକ ଭରଷା ରଖିବ । ଆଫଗାନିସ୍ତାନ ତାର ପରବର୍ତ୍ତୀ ମ୍ୟାଚରେ ଭାରତକୁ ଭେଟିବ ।