କଟକ (ଏଟିଆର ବ୍ୟୁରୋ); ଘରୋଇ ମାଟିରେ ପରାଜୟ ବରଣ କରିଛି ଓଡିଶା । ହରିୟାଣା ଠାରୁ ୧୦ ରନରେ ପରାସ୍ତ ହୋଇଛି । ବାରବାଟୀ ଷ୍ଟାଡିୟମରେ ଗ୍ରୃପ ଡିରେ ଥିବା ଓଡିଶା ଏବଂ ହରିୟାଣା ମଧ୍ୟରେ ଅନୁଷ୍ଠିତ ହୋଇଥିବା ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶା ସହଜ ବିଜୟକୁ ହାତଛଡା କରି ଦେଇଛି । ମାତ୍ର ୧୪୨ ରନ କରି ନପାରି ପରାଜୟ ବରଣ କରିବାକୁ ବାଧ୍ୟ ହୋଇଛି ଓଡିଶା । ଓଡିଶା କ୍ରିକେଟ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା ।
ହରିୟାଣା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରର ଗୋଟିଏ ବଲ ପୂର୍ବରୁ ଅଲଆଉଟ ହୋଇ ମାତ୍ର ୧୪୧ ରନ କରିଥିଲା । ହରିୟାଣା ପକ୍ଷରୁ ଦଳର ଓପନର ବ୍ୟାଟ୍ସମ୍ୟାନ ହିମାଂଶୁ ରାଣା ସର୍ବାଧିକ ୨୫ ରନ କରିଥିଲେ । ତେବେ ଦଳର କୌଣସି ଖେଳାଳି ବଡ ସ୍କୋର କରିନଥିଲେ । ଓଡିଶା ବୋଳଣମାନେ ନିଜର ସ୍ଥିତି ହାଜିର କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ପପୁ ରାୟ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏବଂ ଗୋବିନ୍ଦ ପେଦ୍ଦାର ଏବଂ ରାଜେଶ ମହାନ୍ତି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଓଡିଶା ଆଗରେ ମାତ୍ର ୧୪୨ ରନର ସହଜ ବିଜୟ ଲକ୍ଷ ଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ ଓଡିଶା ୧୦ ରନରେ ପରାସ୍ତ ହୋଇଛି । ପ୍ରଥମରୁ ଧିମା ଖେଳ ଖେଳିଥିଲା ଓଡିଶା । ୧୦ ଓଭରରେ ମାତ୍ର ୪୮ ରନ କରିଥିଲା । ତେବେ ଶେଷ ସମୟରେ ବିପ୍ଳବ ସାମନ୍ତରାୟ ଧମାକାଦାର ଖେଳ ଆରମ୍ଭ କରି ଆସୁଥିବା ବେଳେ ଭୁଲ ବୁଝାବଣା ପାଇଁ ରନ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ସେ ସର୍ବାଧିକ ୪୮ ରନ କରିଥିଲେ । ଓଡିଶା ନିର୍ଦ୍ଧାରିତ ଓଭର ମଧ୍ୟରେ ୫ଟି ୱିକେଟ ହରାଇ ମାତ୍ର ୧୩୧ ରନ କରିଥିଲା । ଫଳରେ ଦଳ ୧୦ରନରେ ପରାସ୍ତ ହୋଇଛି ।