ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣର ଷୋହଳତମ ମ୍ୟାଚରେ ଦିଲ୍ଲୀକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ହାଇଦ୍ରାବାଦ । ଗୁରୁବାର ଫିରୋଜ ଶାହା କୋଟଲାରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଘରୋଇ ପରିବେଶରେ ହାରିଛି ଦିଲ୍ଲୀ କ୍ୟାପିଟାଲ । ୧୮ ଓଭର ୩ଟି ବଲରେ ୫ ୱିକେଟ ହରାଇ ବାଜି ମାରିଥିଲା ହାଇଦ୍ରାବାଦ ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ (୧୧, ୧୧ ବଲ୍) ଏବଂ ଶିଖର ଧାୱନ (୧୨, ୧୪ ବଲ୍) ନିରାଶ କରିଥିଲେ। ଯୁବ ପ୍ରତିଭା ଋଷବ ପନ୍ତ୍, ରାହୁଲ ତିୱାତିଆ , କଲିନ୍ ଇନ୍ଗ୍ରାମ ପ୍ରତ୍ୟେକ ୫ ରନ୍ ଲେଖାଏଁ କରିଥିଲେ। ଫଳରେ ଦିଲ୍ଲୀ ୭୫ ରନ୍ରେ ୫ ୱିକେଟ୍ ହରାଇ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା।
ଅଧିନାୟକ ଶ୍ରେୟସ ଆୟର (୪୩, ୪୧ ବଲ୍, ୩ ଚୌକା, ୧ ଛକା) ୧୭ତମ ଓଭର ପର୍ୟ୍ୟନ୍ତ ଲଢ଼ିଥିଲେ ମଧ୍ୟ ଅନ୍ୟ କାହାରିଠାରୁ ସମର୍ଥନ ପାଇନଥିଲେ। ଶେଷ ଭାଗରେ କ୍ରିସ୍ ମୋରିସ୍ (୧୭, ୧୫ ବଲ୍) ଏବଂ ଅକ୍ଷର ପଟେଲ୍ (୨୩ଞ୍ଚ, ୧୩ ବଲ୍, ୧ ଚୌକା, ୨ ଛକା) ଦ୍ରୁତ ଖେଳିବାରୁ ଦିଲ୍ଲୀ ସମ୍ମାନଜନକ ସ୍କୋର୍ କରିପାରିଥିଲା। ଶେଷ ଓଭର ବୋଲିଂ କରିଥିବା ସିଦ୍ଧାର୍ଥ କଉଲଙ୍କ ଶେଷ ୩ ବଲ୍ରୁ ୧୪ ରନ୍ (୬, ୨, ୬) ଆଦାୟ କରିଥିଲେ ପଟେଲ୍। ଏଥି ସହିତ ଦିଲ୍ଲୀ ୧୨୯/୮ରେ ଅଭିଯାନ ଶେଷ କରିଥିଲା। ହାଇଦ୍ରାବାଦ ପକ୍ଷରୁ କାମଚଳା ଅଧିନାୟକ ଭୁବନେଶ୍ବର କୁମାରଙ୍କ ସହିତ ମହମ୍ମଦ ନବି, ସିଦ୍ଧାର୍ଥ କଉଲ୍ ୨ ଲେଖାଏଁ ଏବଂ ରସିଦ୍ ଖାନ୍ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୨୯/୮ (ଶ୍ରେୟସ ଆୟର-୪୩, ଅକ୍ଷର ପଟେଲ୍-୨୩ଞ୍ଚ, ମହମ୍ମଦ ନବି-୨/୨୧, ଭୁବନେଶ୍ବର କୁମାର-୨/୨୭, ସିଦ୍ଧାର୍ଥ କଉଲ୍-୨/୩୫, ରସିଦ୍ ଖାନ୍-୧/୧୮, ସନ୍ଦୀପ ଶର୍ମା-୧/୨୫)। ସନ୍ରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୧୩୧/୫ (ଜନି ବେୟାରଷ୍ଟୋ-୪୮, ମହମ୍ମଦ ନବି-୧୭ଞ୍ଚ, ୟୁସୁଫ ପଠାନ୍-୯ଞ୍ଚ, ଈଶାନ୍ତ ଶର୍ମା-୧/୫, ଅକ୍ଷର ପଟେଲ-୧/୧୮, ରାହୁଲ ତିୱାତିଆ-୧/୧୦, କାଗିସୋ ରବାଦା-୧/୩୨, ସନ୍ଦୀପ ଲାମିଚାନ୍-୧/୩୨)।