ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ଶତକ ହାସଲ କରିଥିଲେ ସଞ୍ଜୁ ସାମସନ । କିନ୍ତୁ ଦୁର୍ଭାଗ୍ୟ ମଶତଃ ତାଙ୍କ ଦଳ ରାଜସ୍ଥାନକୁ ପରାଜୟ ବରଣ କରିବାକୁ ପଡିଛି ହାଇଦ୍ରାବାଦ ଆଗରେ । ଡେଭିଡ୍ ୱାର୍ନରଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ଶୁକ୍ରବାର ସନ୍ରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରିଛି। ରାହାଣେଙ୍କ ରୟାଲ୍ସ କିନ୍ତୁ ଦ୍ବିତୀୟରୁ ଦ୍ବିତୀୟ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଶେଷରେ ସଂଘର୍ଷ କରୁଛି। ରାଜସ୍ଥାନ ୧୯୮ ରନ୍ର ବଡ଼ ସ୍କୋର୍ କରିଥିଲେ ମଧ୍ୟ ହାଇଦ୍ରାବାଦ ୧ ଓଭର ପୂର୍ବରୁ ୫ ୱିକେଟ୍ ହରାଇ ୨୦୧ ରନ୍ କରି ନେଇଥିଲା। ଜୋଫ୍ରା ଆର୍ଚରଙ୍କୁ ସ୍କୋୟାର ଲେଗ୍ ଉପରେ ଛକା ମାରି ରସିଦ୍ ଖାନ୍ ମ୍ୟାଚ୍ ଶେଷ କରିଥିଲେ। ମିତବ୍ୟୟୀ ବୋଲିଂ ପାଇଁ (୪-୦-୨୪-୧) ରସିଦ ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ବେଶ୍ ସତର୍କତାର ସହ ପାଳି ଆରମ୍ଭ କରିଥିଲା। ଅଜିଙ୍କ୍ୟ ରାହାଣେ ଏବଂ ଜୋସ୍ ବଟଲର୍ ରନ୍ ସଂଗ୍ରହ ପାଇଁ ସମୟ ନେଇଥିଲେ। ଗତ ମ୍ୟାଚ୍ରେ ମଙ୍କଡିଂ ରନ୍ ଆଉଟ୍ର ଶିକାର ହୋଇଥିବା ବଟଲରଙ୍କୁ ଆଫଗାନିସ୍ତାନ ସ୍ପିନର୍ ରସିଦ୍ ଖାନ୍ ବୋଲଡ୍ କରି ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହି ସମୟରେ ରାହାଣେଙ୍କ ସହ ଯୋଗ ଦେଇଥିବା ସଂଜୁ ସାମସନ୍ ଦ୍ବିତୀୟ ୱିକେଟ୍ ଲାଗି ୧୧୯ ରନ୍ ଯୋଡ଼ିଥିଲେ। ୱିକେଟ୍ରେ ଜମିଯିବା ପରେ ଉଭୟ ହାତଖୋଲା ସଟ୍ ଖେଳିଥିଲେ। ରାହାଣେ ୩୮ ବଲରୁ ଏବଂ ସଂଜୁ ୩୪ ବଲରୁ ଅର୍ଧଶତକ ଟପିଥିଲେ।
ସଂକ୍ଷିପ୍ତ ସ୍କୋର : ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୮/୨ (ସଂଜୁ ସାମସନ୍-୧୦୨ଞ୍ଚ, ଅଜିଙ୍କ୍ୟ ରାହାଣେ-୭୦, ବେନ୍ ଷ୍ଟୋକ୍ସ-୧୬ଞ୍ଚ, ଭୁବନେଶ୍ବର କୁମାର-୦/୫୫, ରସିଦ୍ ଖାନ୍-୧/୨୪, ସାହାବାଜ୍ ନଦିମ୍-୧/୩୬) । ସନରାଇଜର୍ସ ହାଇଦ୍ରାବାଦ ୧୯ ଓଭରରେ ୨୦୧/୫ (ଡେଭିଡ୍ ୱାର୍ନର-୬୯, ଜନି ବେୟାରଷ୍ଟୋ-୪୫, ବିଜୟ ଶଙ୍କର-୩୫, ଶ୍ରେୟସ ଗୋପାଳ-୩/୨୭, ଜୟଦେବ ଉନାଦକତ୍-୧/୨୬, ବେନ୍ ଷ୍ଟୋକ୍ସ-୧/୪୦) ।