ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇସିସି ଟି-୨୦ ବୋଲର ର୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଚାଇନାମ୍ୟାନ୍ କୁଲଦୀପ୍ ଯାଦବ । ସେ ନ୍ୟୁଜଲାଣ୍ଡ ବିପକ୍ଷରେ ଶେଷ ୱାନ୍-ଡେରେ ୨୬ ରନ୍ ରେ ଦୁଇଟି ୱିକେଟ୍ ନେଇଥିଲେ । ସେହି ମ୍ୟାଚରେ ଭାରତ ୪ ରନ୍ ରେ ହାରି ଯାଇଥିଲା । ଅନ୍ୟପଟେ ଏହି ର୍ୟାଙ୍କିଙ୍ଗ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆଫଗାନିସସ୍ତାନ ସ୍ପିନର ରଶିଦ୍ ଖାଁ ।
ଏହି ତାଲିକାର ଶୀର୍ଷ ଦଶ ଜଣଙ୍କ ମଧ୍ୟରେ ଭାରତର ଅନ୍ୟ କୌଣସି ବୋଲର ନାହାଁନ୍ତି । କୁଲଦୀପଙ୍କ ସ୍ପିନ୍ ଯୋଡିଦାର ୟୁଜବେନ୍ଦ୍ର ଚହଲ ନ୍ୟୁଜଲାଣ୍ଡ ବିପକ୍ଷରେ ସେଭଳି କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ଯାହାଫଳରେ ତାଙ୍କୁ କ୍ଷତି ସହିବାକୁ ପଡିଛି । ଏବେ ସେ ତାଲିକାର ୧୭ ନମ୍ବର ସ୍ଥାନରେ ଅଛିନ୍ତି ଏବଂ ଭୁବନେଶ୍ୱର କୁମାର ୧୮ ନମ୍ବର ସ୍ଥାନରେ ଅଛନ୍ତି । ସେହିପରି ବ୍ୟାଟିଂରେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା ୩ ନମ୍ବର ଆଗରେ ଏବଂ କେଏଲ ରାହୁଲ ୩ ନମ୍ବର ତଳକୁ ଖସି ଯାଇଛନ୍ତି ।
ଏଥିରେ ପାକିସ୍ତାନର ବାବର ଆଜମ ଶୀର୍ଷରେ ଅଛନ୍ତି । ୭ ନମ୍ବରରେ ରୋହିତ, ୧୦ ନମ୍ବରରେ ରାହୁଲ, ଏବଂ ୧୧ ନମ୍ବର ସ୍ଥାନରେ ଶିଖର ଧୱନ ଅଛନ୍ତି । ନ୍ୟୁଜଲାଣ୍ଡ ବିପକ୍ଷରେ ଶୃଙ୍ଖଳାରେ ବାହାରି ଯାଇଥିବା ବିରାଟ କୋହଲି ୧୯ ନମ୍ବର ସ୍ଥାନରେ ଅଛନ୍ତି ।
ସେହିପରି ଲେଗ୍ ସ୍ପିନର କ୍ରୁଣାଳ ପାଣ୍ଡ୍ୟା ୩୯ ନମ୍ବର ସ୍ଥାନ ଉପରକୁ ଯାଇ ଜୀବନର ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗରେ ଅଛନ୍ତି । ଅନ୍ୟପଟେ ନ୍ୟୁଜଲାଣ୍ଡ ଅଧିନାୟକ ୧୨ ନମ୍ବର ସ୍ଥାନରେ, ରାସ୍ ଟେଲର ୫୧ ନମ୍ବର ସ୍ଥାନରେ ଏବଂ ଟିମ୍ ସିଫଟ ୮୩ ନମ୍ବର ସ୍ଥାନରେ ଅଛନ୍ତି ।